ଟାଙ୍ଗରା ଭୂଇଁରେ ସବୁଜବଳୟ

ଭେଡେନ,୨୯।୨(ସୁଦନ ମହାକୁର): ଦିନେ ଯେଉଁ ସ୍ଥାନରେ ଦୂବଘାସ କଅଁଳୁ ନ ଥିଲା, ଖାଲି ପାଦରେ ଚାଲିଲେ ପାଦ ଫୁଟିଯିବାର ଭୟ ରହୁଥିଲା ସେଠି ଆଜି ଗଛରେ ପରିପୂର୍ଣ୍ଣ। ସରକାରଙ୍କ ସବୁଜ ମହାନଦୀ ମିଶନ ଯୋଜନାରେ ବରଗଡ଼ ଜିଲା ବନ ବିଭାଗର ପ୍ରଚେଷ୍ଟାରେ ଟାଙ୍ଗରା ଭୂଇଁରେ ସୃଷ୍ଟି ହୋଇଛି ସବୁଜ ବଳୟ। ଏହି ସବୁଜ ବଳୟର ନାମ ରହିଛି ‘ପଥିକ ବନ’। ଏହାକୁ ଦେଖିଲେ ସତେଯେମିତି ପରିବେଶ ସନ୍ତୁଳନ ଉଦ୍ଦେଶ୍ୟରେ ସରକାରଙ୍କ ଆଭିମୁଖ୍ୟ ସାର୍ଥକ ହୋଇଥିବା ପରି ମନେ ହେଉଛି।

ଜିଲାର ଭେଡ଼େନ ବ୍ଲକ ଗଣ୍ଡତୁରୁମ ସେକ୍ଟର ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ମେହେନା ଗ୍ରାମ ନିକଟରେ ରହିଥିଲା ଶତାଧିକ ଏକର ପତିତ କିସମ ଅନାବାଦୀ ଜମି। ତାହା ପୁଣି ମାଙ୍କଡ଼ା ପଥରରେ ଭରପୂର। ବର୍ଷାଦିନ ବ୍ୟତୀତ ଏଠି ଦୂବଘାସ ମଧ୍ୟ ଦିଶୁ ନ ଥିଲା। ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିଶନ ଯୋଜନାରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ସାମିଲ କରାଯାଇ ଚାରା ରୋପଣ କରାଯାଇଥିଲା। ଏଠାରେ ୟୁକାଲିପଟାସ, ଶାଳ, ପିଆଶାଳ, ଅଁଳା, ଶିଶୁ, ଶାଗୁଆନ ଆଦି ବିଭିନ୍ନ କିସମର ୧୦ ହଜାର ଗଛ ଲଗାଯାଇ ଯତ୍ନ ନିଆଯାଉଛି। ଆଜକୁ ୪ ବର୍ଷ ହେଲା ୯ ହଜାର ୯୮୦ ଜଣ ଶ୍ରମିକ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କର୍ମସଂସ୍ଥାନ ପାଇଛନ୍ତି। ଏଥିପାଇଁ ଆଜି ପର୍ଯ୍ୟନ୍ତ ୩୩ ଲକ୍ଷ ୫୪ ହଜାର ୮୦୦ଟଙ୍କା ବ୍ୟୟବରାଦ କରାଯାଇଥିବା ଫରେଷ୍ଟର ଲୋକେଶ୍ୱର ଭୋଇ ପ୍ରକାଶ କରିଛନ୍ତି। ଏହି ପଥିକ ବନ ବାଟୋଇ, ସ୍ଥାନୀୟ ଜନସାଧାରଣ, ପଶୁପକ୍ଷୀଙ୍କୁ ଆଶ୍ରୟ ଦେବା, ମୃତ୍ତିକା କ୍ଷୟ ରୋକିବା, ଜଳ ସଂରକ୍ଷଣ ଏବଂ ପରିବେଶ ପ୍ରଦୂଷଣ ରୋକିବା ସହ ପରିବେଶ ସନ୍ତୁଳନରେ ବେଶ୍‌ ସହାୟକ ହୋଇପାରିବ ବୋଲି ବନାଞ୍ଚଳ ଅଧିକାରୀ ଆରତି ନେଗୀ କହିଛନ୍ତି। ଆହୁରି ମଧ୍ୟ ଜିଲାରେ ଥିବା ପଡ଼ିଆ ଜମିରେ ଚାରାରୋପଣ, କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନ ବିଭାଗ ସଂକଳ୍ପବଦ୍ଧ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ବନାଞ୍ଚଳ ଅଧିକାରୀ ନେଗୀ କହିଛନ୍ତି।

ଅନ୍ୟପକ୍ଷରେ ପଥିକ ବନର ଅପରପାର୍ଶ୍ୱରେ ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବନୀକରଣ ଯୋଜନାରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିର ନିମ୍ବ ୩ ହଜାର, କରଞ୍ଜ ୧୨୫୦, ଜାମୁ ୧୩ ଶହ, ବାହାଡ଼ା ୪୦, ପାଟୁଳି ୩୦, ପଣସ ୩ଶହ, ମେହେଗାନି ୩୦, ଆମ୍ବ ୭ଶହ, ତେନ୍ତୁଳି ୬ଶହ, ବାଉଁଶ ୪ଶହ, ଶିରିଶ ୧୫୦, ଅଁଳା ୧ହଜାର ଏବଂ ଶିଶୁ ଚାରା ୪ଶହ ରୋପଣ କରାଯାଇଥିଲା। ମାତ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ଏଥିରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବହୁ ମୂଲ୍ୟବାନ ଗଛ ପାଣି ଅଭାବରୁ ମରିଯାଉଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବୃତ୍ତମାନେ ତାରବାଡ଼ ଭାଙ୍ଗି ଏହାକୁ ଚୋରି କରି ନେଉଥିବା ଭଳି ଦୃଶ୍ୟ ସାଧାରଣରେ ବ୍ୟଥିତ କରିଛି।