ଭାରତୀୟ ଖାଦ୍ୟ ଭିତରେ ରୁଟି ପ୍ରମୁଖ। ଖାସ୍କରି ଉତ୍ତର ଭାରତ ଯେଉଁଠି ଗହମ ଉତ୍ପାଦନ ଅଧିକ, ସେଠାରେ ରୁଟି ଅଧିକ ଖିଆଯାଏ। ରୁଟି ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶ, ମାଳଦୀପ, ମ୍ୟାନମାର, ମାଲେସିୟା, ଇଣ୍ଡୋନେସିଆ, ସିଙ୍ଗାପୁର, ଥାଇଲାଣ୍ଡ, ଗୁଆନା, ଜାମାଇକା, ତ୍ରିନିଦାଦ, ମରିସସ୍, ଫିଜି ଆଦି ଦେଶରେ ବି ଲୋକପ୍ରିୟ। ଏହାକୁ କିଏ ଚପାତି କୁହନ୍ତି ତ କିଏ ରୋଟଲି, ପୁଣି କିଏ ସଫାତି, ଶବାତି ପୁଣି ଫୁଲ୍କା। ପଶ୍ଚିମ ଆଫ୍ରିକାରେ ଏହା ପରିଚିତ ଚାପୋ ନାମରେ ଓ ମାଳଦ୍ୱୀପରେ କୁହନ୍ତି ରୋଶି। ରୁଟିର ପୁଣି ରହିଛି ଅନେକ ପ୍ରକାର। ଯେମିତିକି ଚପାତି, ବାଜରା ରୁଟି, ଜଓ୍ବାର ରୁଟି, ଚାଉଳ ରୁଟି, ମକା ରୁଟି, ରୁମାଲି ରୁଟି, ତନ୍ଦୁରୀ ରୁଟି, ର଼୍ୟାପ୍ ରୁଟି, ରୁଟି କନାଇ, ପରଟା ଓ ଭକର। ତେବେ ଐତିହାସିକ ତଥ୍ୟ ଅନୁସାରେ ଏହି ଲୋକପ୍ରିୟ ଖାଦ୍ୟ ରୁଟିର ଆବିଷ୍କାର ଆଉ କେଉଁଠି ନୁହେଁ ଭାରତରେ ହିଁ ହୋଇଛି। ଖ୍ରୀ.ପୂ. ୩୩୦୦-୧୭୦୦ ହରପ୍ପା ସିନ୍ଧୁ ଉପତ୍ୟକା ସଭ୍ୟତା ସମୟରୁ ଏହା ଖାଦ୍ୟ ତାଲିକାରେ ସାମିଲ ହୋଇଥିବା ଜଣାପଡେ। କାରଣ ଏହି ସଭ୍ୟତାର ଲୋକେ ଗହମ, ବାଜରା, ଯଅ ଆଦି ଚାଷ କରୁଥିବା ପ୍ରମାଣ ମିଳିଛି।
ମୋଗଲ ବାଦ୍ଶାହଙ୍କୁ ବି ପସନ୍ଦ ଥିଲା ରୁଟି: ଅବୁଲ ଫଜଲ ଷୋଡ଼ଶ ଶତାବ୍ଦୀରେ ଆଇନ-ଇ- ଆକବରୀରେ ବର୍ଣ୍ଣନା କରିଛନ୍ତି ଯେ, ମୋଗଲ ସମ୍ରାଟ ଆକବରଙ୍କୁ ରୁଟି ଏତେ ପସନ୍ଦ ଥିଲା ଯେ, ସେ ଏହାକୁ ଘିଅ ଓ ଚିନି ସହ ଖାଉଥିଲେ। କେବଳ ଆକବର ନୁହନ୍ତି ଔରଙ୍ଗଜେବଙ୍କୁ ବି ରୁଟି ବହୁତ ପସନ୍ଦ ଥିଲା। ଆଉ ଏକ ରୋଚକ କଥା ହେଉଛି ୧୮୫୭ ପ୍ରଥମ ସ୍ବତନ୍ତ୍ରତା ସଂଗ୍ରାମରେ ସାମିଲ ଥିବା ସ୍ବତନ୍ତ୍ର ସୈନ୍ୟବାହିନୀ ବି ରୁଟି ଖାଉଥିବା ଜଣାପଡିଛି।
ଅନ୍ୟ ଦେଶରେ ରୁଟି: ଭାରତୀୟ ନାଗରିକ ଯେବେ ଆମେରିକା, ବ୍ରିଟେନ୍ରେ ଯାଇ ରହିବା ଆରମ୍ଭ କଲେ ରୁଟି କରିବା ପଦ୍ଧତି ସେଠାକୁ ଗଲା। ଏବେ ଏହି ରୁଟିକୁ କେଉଁ ଦେଶ ରୋଲ୍ ରୂପେ ଖାଉଛନ୍ତି ତ କେଉଁ ଦେଶ ଟାକୋ ରୂପରେ ଖାଉଛନ୍ତି।