ହାତୀ ମୃତ୍ୟୁକୁ ନେଇ ସ୍ବତନ୍ତ୍ର ଟିମ୍‌ର ତଦନ୍ତ: ସିବିଆଇ ତଦନ୍ତ ଦାବିକଲା ଭଞ୍ଜସେନା

ବାରିପଦା ଅଫିସ,୧୨।୧୨: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଦନ୍ତାହାତୀର ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସୋମବାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଅନ୍ୟପକ୍ଷେ ହାତୀ ମୃତ୍ୟ ଘଟଣାର ତଦନ୍ତକୁ ନେଇ ଭଞ୍ଜସେନା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣା ଯାଞ୍ଚ ସିବିଆଇ ଦ୍ୱାରା କରିବା ପାଇଁ ଭଞ୍ଜସେନା ଦାବି କରିଛି। ସୂଚନାଯୋଗ୍ୟ, ଜେନାବିଲ ରେଞ୍ଜର ଗୁରାଣ୍ଡିଆ ସେକ୍ସନ ଅଞ୍ଚଳରେ ୧୫ଦିନ ତଳେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। ଶିକାରୀମାନେ ଦାନ୍ତ କାଟିନେବା ପରେ ବିଭାଗୀୟ କର୍ମଚାରୀମାନେ ଦୋଷ ଲୁଚାଇବା ପାଇ ପ୍ରମାଣ ନଷ୍ଟକରି ମୃତଦେହକୁ ପୋଡ଼ିଦେଇଥିଲେ। ଅବଶିଷ୍ଟ ଦେହାବଶେଷକୁ ନିକଟସ୍ଥ ନଦୀରେ ଭସାଇଦେବା ବେଳେ ସ୍ଥାନୀୟ ବକୁଆ ଗ୍ରାମବାସୀ କ୍ଷେତ୍ର ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ବନ ବିଭାଗର ୭ଟି ଟିମ୍‌ରେ ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନକରି ତଦନ୍ତ ପରେ ସତ୍ୟତା ଜାଣିବାକୁ ପାଇଥିଲେ। ପରେ ୩ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା।

ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣାରେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟ ଭୁବନେଶ୍ୱରର ସିସିଏଫ୍‌ ମନୋଜ ନାୟାରଙ୍କ ସମେତ ଏକ ଅଧିକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ସଂକ୍ରାନ୍ତରେ ଆଞ୍ଚଳିକ ବନ୍ୟପ୍ରାଣୀ କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର କହନ୍ତି, ନିଲମ୍ବିତ କର୍ମଚାରୀମାନେ ନିଜ ଦୋଷ ସ୍ବୀକାର କରିଛନ୍ତି। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶେଷରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ହାତୀ ଭଳି ଅନେକ ଜୀବଜନ୍ତୁଙ୍କୁ ଶିକାର କରି ପ୍ରମାଣ ନଷ୍ଟ ହେଉଥିବା ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରିଛନ୍ତି।

Share