ନୂଆ ବର୍ଷରୁ ଦକ୍ଷିଣ ଭାରତକୁ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ‘ଭାରତ ଦର୍ଶନ’ ପ୍ୟାକେଜରେ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳ ଅଞ୍ଚଳକୁ ସୁଲଭ ମୂଲ୍ୟରେ ‘ଟୁରିଷ୍ଟ ସ୍ପେଶାଲ ଟ୍ରେନ୍‌’ ଚଳାଚଳ କରୁଛି। ନୂଆବର୍ଷରୁ ଦକ୍ଷିଣ ଭାରତକୁ ଅନ୍ୟ ଏକ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଆସନ୍ତା ଜାନୁଆରୀ ୨ରେ ଟ୍ରେନ୍‌ଟି ତୀର୍ଥଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାତ୍ର ୧୦ଟାରେ ରାମେଶ୍ୱରମ, ମଦୁରାଇ ଓ ତିରୁପତି ଅଭିମୁଖେ ଯାତ୍ରାରମ୍ଭ କରିବ। ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍‌, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡାରୁ ଯାତ୍ରୀମାନେ ଏହି ତୀର୍ଥଯାତ୍ରୀ ଟ୍ରେନ୍‌ରେ ଯାଇପାରିବେ ବୋଲି ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ ପାଇଛି। ଏହି ପ୍ୟାକେଜର ମୂଲ୍ୟ ୮,୦୮୫ ଟଙ୍କା ରହିଥିବାବେଳେ ୭ ରାତି ଓ ୮ ଦିନଧରି ତୀର୍ଥଯାତ୍ରୀମାନେ ଗସ୍ତ କରିବେ। ଏହି ଦେୟ ମଧ୍ୟରେ ସ୍ଲିପର କ୍ଲାସ୍‌ ଟ୍ରେନ୍‌ ଯାତ୍ରା, ରହିବା, ଶାକାହାରୀ ଭୋଜନ, ପର୍ଯ୍ୟଟନ ବସ୍‌, ଏସ୍‌କର୍ଟ, ସିକ୍ୟୁରିଟି ଗାର୍ଡ, ଭ୍ରମଣ ବୀମା ସହ ଯାତ୍ରୀମାନେ ଉପରୋକ୍ତ ଗନ୍ତବ୍ୟସ୍ଥଳକୁ ପରିଦର୍ଶନ କରିପାରିବେ। ଏଥିପାଇଁ ଆଇଆର୍‌ସିଟିସି ୱେବସାଇଟ୍‌ http://www.irctc.com ଓ ଆଇଆର୍‌ସିଟିସି ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ବୁକିଂ କରିପାରିବେ। ଏହି ଯାତ୍ରାରେ ୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବନି। ସବୁଠି ସାନିଟାଇଜେଶନ, ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା ରହିବ। ସାନିଟାଇଜର ଓ ମାସ୍କ ସହିତ କୋଭିଡ୍‌ କିଟ୍‌ ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ ପାଇଛି।

Share