ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ମନୋରଞ୍ଜନ ଦୁନିଆ ଯେଉଁମାନଙ୍କୁ ହରାଇଛି ସେମାନଙ୍କ ଚଳଚ୍ଚିତ୍ର ଗୋଆରେ ଅନୁଷ୍ଠିତ ୫୩ ତମ ସଂସ୍କରଣରେ ପ୍ରଦର୍ଶିତ ହେବ । ଏମାନଙ୍କ ମଧ୍ୟରେ ରହିଛନ୍ତି ଲତା ମଙ୍ଗେସକର, ବାପି ଲାହିରି, ଗାୟକ କେକେ, ସାୱନ କୁମାର ଟାକ ସମେତ ୧୭ ବ୍ୟକ୍ତିଙ୍କର ସିନେମାରେ ଅନୁକରଣୀୟ ଯୋଗଦାନକୁ ପୁଣିଥରେ ସ୍ମୃତି ଚାରଣ କରାଯିବ ।
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏସିଆର ସର୍ବ ପୁରାତନ ଓ ଭାରତର ସର୍ବବୃହତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ବୋଲି କୁହାଯାଏ । ଆଇଏଫଏଫଆଇ ଅନ୍ତର୍ଜାତୀୟ ଫେଡେରେଶନ ଅଫ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ ସହ ଜଡିତ । ପ୍ରତିବର୍ଷ ଏହି ଉତ୍ସବ ସିନେମା ଜଗତର ସର୍ବୋତ୍ତମ କାର୍ଯ୍ୟଗୁଡିକୁ ପ୍ରଶଂସା କରିଥାଏ ଓ ଭାରତ ସମେତ ସମଗ୍ର ବିଶ୍ୱର ସର୍ବୋତମ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥାଏ ।
ଚଳିତ ବର୍ଷ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଆୟୋଜନ ୨୦-୨୮ ନଭେମ୍ବର ପର୍ଯ୍ୟନ୍ତ ଗୋଆରେ ହେବାକୁ ଯାଉଛି । ଏହି ସମୟରେ ବାପି ଲାହିରିଙ୍କୁ ଫିଲ୍ମ ‘ଡିସ୍କୋ ଡ୍ୟାନ୍ସର’, ଲତା ମଙ୍ଗେସକରଙ୍କୁ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ଅଭିନୀତ ମୁଭି ‘ଅଭିମାନ’ ଓ ସିଙ୍ଗର କେକେଙ୍କୁ ‘ଭୁଲ ଭୁଲେୟା’ ମାଧ୍ୟମରେ ମନେପକାଇବେ ଦର୍ଶକେ ।

Share