ନିମନ୍ତ୍ରଣରେ ସ୍ବତନ୍ତ୍ର ଶାକାହାରୀ ଥାଳି

ଭୁବନେଶ୍ୱର,୨୦।୬(ବନ୍ଦନା ସେଠୀ): ରଥଯାତ୍ରା ଅବସରରେ ଓଟିଡିସି ପକ୍ଷରୁ ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ ସ୍ବତନ୍ତ୍ର ସାତ୍ତ୍ୱିକ ଓଡ଼ିଆ ଖାଦ୍ୟ ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି। ୨୦ରୁ ୨୮ଜୁନ୍‌ ପର୍ଯ୍ୟନ୍ତ ଏଠାରେ ବିନା ପିଆଜ ରସୁଣରେ ଏହି ଖାଦ୍ୟ ଉପଲବ୍ଧ ହେବ। ଗୋଟିଏ ପ୍ଲେଟର ଦାମ୍‌ ୫୪୯ଟଙ୍କା ରହିଥିବାବେଳେ ଏଥିରେ ୧୫ ପ୍ରକାରର ଶୁଦ୍ଧ ବ୍ୟଞ୍ଜନ ମିଳିବ। ତେବେ ପ୍ରତ୍ୟେକ ଦିନେ ଅନ୍ତରରେ ଖାଦ୍ୟର ତାଲିକା ବଦଳିବ। ରଥଯାତ୍ରା ସମୟରେ ବହୁତ ଲୋକ ଶୁଦ୍ଧ ଓଡ଼ିଆ ଖାଦ୍ୟ ଖାଇବାକୁ ଚାହିଁଥାନ୍ତି। ତେଣୁ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଥିବା ସୋମବାର ଶହୀଦନଗରସ୍ଥିତ ନିମନ୍ତ୍ରଣଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଟିଡିସି ଅଧ୍ୟକ୍ଷ ଡ. ଲେଲିନ୍‌ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ବିକାଶ ନିଗମ ବର୍ଷବର୍ଷ ଧରି ଜନସାଧାରଣଙ୍କ ମଧ୍ୟରେ ଓଡିଆ ସଂସ୍କୃତି, ପର୍ବ ଏବଂ ରୋଷେଇକୁ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନେଉଛି। ତେଣୁ ରଥଯାତ୍ରାର ୯ଦିନ ଧରି ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର ଆମିଷ ଖାଦ୍ୟ ପରଷା ଯିବନାହିଁ। ରାଜସିକ କିମ୍ବା ତାମସିକ ଖାଦ୍ୟ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ରଖାଯିବ ନାହିଁ। ଏହି ଥାଳି ଉଭୟ ମଧ୍ୟାହ୍ନ ଓ ରାତ୍ରଭୋଜନରେ ଉପଲବ୍ଧ ହେବ। ଏହି ଅବସରରେ ଏକ ଖାଦ୍ୟ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ୧୫୦ରୁ ଅଧିକ ଫୁଡ୍‌ ବ୍ଲଗର୍‌, ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନେ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ କମ୍ପାନୀ ସେକ୍ରେଟାରୀ ପ୍ରଶାନ୍ତ ପଣ୍ଡା, ଓଟିଡିସି ମ୍ୟାନେଜର ରଞ୍ଜନ ମିଶ୍ର, ମୁଖ୍ୟ ସେଫ୍‌ ସଞ୍ଜୟ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

Share