୭୭,୮୧୫ କୋଟି ଟଙ୍କାର ସ୍ପେକ୍ଟ୍ରମ୍‌ ନିଲାମ

ଭୁବନେଶ୍ୱର,୩।୩:ଟେଲିକମ୍‌ କମ୍ପାନୀଗୁଡ଼ିକ ଲାଗି ସୋମବାର ଆରମ୍ଭ ହୋଇଥିବା ସ୍ପେକ୍ଟ୍ରମ୍‌ ନିଲାମ ମଙ୍ଗଳବାର ଶେଷ ହୋଇଛି। ୨ ଦିନରେ ମୋଟ ୭୭,୮୧୫ କୋଟି ଟଙ୍କାର ନିଲାମ ଡକାଯାଇଛି। ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି। ମଙ୍ଗଳବାର ୧୨ଟା ୪୫ରେ ନିଲାମ ପ୍ରକ୍ରିୟା ଶେଷ ହୋଇଥିଲା। ୮୦୦ ମେଗାହର୍ଜ (ଏମ୍‌ଏଚ୍‌ଜେଡ୍‌), ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ନିଲାମ ହୋଇଥିଲା। ହେଲେ ୭୦୦ ଏବଂ ୨୫୦୦ ମେଗାହର୍ଜ ପ୍ରିମିୟମ ଏୟାରଓ୍ବେଭକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ।
ଭାରତୀୟ ଟେଲିକମ୍‌ ବଜାରରେ ନିଜର ସ୍ଥିତି ଜାହିର କରିଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସ୍ପେକ୍ଟ୍ରମର ଅଧିକାଂଶ ଅଂଶ କିଣିଛି। ଜିଓ ୫୭,୧୨୨.୬୫ କୋଟି ଟଙ୍କାର ଏୟାର ୱେଭ୍‌ କିଣିଥିବାବେଳେ ଏୟାରଟେଲ ୧୮,୬୯୯ କୋଟି ଟଙ୍କା ଏବଂ ଭୋଡାଫୋନ୍‌-ଆଇଡିଆ ଲିମିଟେଡ୍‌ ୧,୯୯୩.୪୦ କୋଟି ଟଙ୍କାର ଏୟାର ୱେଭ୍‌ କିଣିଥିବା ଜଣାପଡ଼ିଛି। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ଭଳି ଅଗ୍ରଣୀ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରେ ସ୍ପେକ୍ଟ୍ରମ୍‌ କିଣିବା ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ୪ଜି ସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ପାଖରେ ଯେଉଁ ସ୍ପେକ୍ଟ୍ରମ ଥିଲା, ତାହାର ଅବଧି ଶେଷ ହୋଇଯାଉଥିବାରୁ ନୂଆ ସ୍ପେକ୍ଟ୍ରମ୍‌ ନିଲାମ କରାଯାଇଛି। କେନ୍ଦ୍ର ସରକାର ଟେଲିକମ୍‌ କମ୍ପାନୀଗୁଡ଼ିକ ଲାଗି ୩.୯୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୨୫୧.୨୫ ମେଗାହର୍ଜ ସ୍ପେକ୍ଟ୍ରମ୍‌ ନିଲାମ କରିଛନ୍ତି। ଟେଲିକମ୍‌ ସିଗ୍ନନାଲକୁ ୭ଟି ବ୍ୟାଣ୍ଡ୍‌ରେ ବହନ କରୁଥିବା ୨,୨୫୦ ମେଗାହର୍ଜ ସ୍ପେକ୍ଟ୍ରମ୍‌ର ରିଜର୍ଭ ମୂଲ୍ୟ ବା ଷ୍ଟାର୍ଟ ପ୍ରାଇସ୍‌ ୪ ଲକ୍ଷ କୋଟି ରହିଥିଲା। ସୋମବାର ପ୍ରଥମ ଦିନରେ ୭୭,୧୪୬ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ହୋଇଥିଲା।

Share