Categories: ଖେଳ

ସାନିଆ-ଶୋଏବଙ୍କୁ ନେଇ ପୁଣି କଳ୍ପନାଜଳ୍ପନା

ମୁମ୍ବାଇ, ୫ା୮: ସେଲିବ୍ରିଟି ଦମ୍ପତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯାହା ଦେଖିବାକୁ ମିଳୁଛି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ ଦେଖାଦେଇଥିବା ଅନୁମାନ କରାଯାଉଛି। ଦୁଇ ଜଣାଶୁଣା ଆଥ୍‌ଲେଟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିବା ଗତବର୍ଷ ଗୁଜବ ଉଠିଥିଲା। ସୋସିଆଲ ମିଡିଆରେ ଏହା ଆଲୋଚନାର ବିଷୟ ପାଲଟିଯାଇଥିଲା। କିନ୍ତୁ ଦୁଇ ଆଥ୍‌ଲେଟ ଏହି ପ୍ରସଙ୍ଗରେ କିଛି ହେଲେ ସାର୍ବଜନୀନ କରି ନ ଥିଲେ। ସାନିଆ ଓ ଶୋଏବ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଦୁଇ ଦେଶରେ ରହିଥିବା ସମର୍ଥକଙ୍କ ସେମାନଙ୍କ ଉପରେ ନଜର ରହିଥିଲା। ସେମାନଙ୍କ ବୈବାହିକ ଜୀବନ ବେଶିଦିନ ତିଷ୍ଠି ରହିବ କି ନା ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଛାଡ଼ପତ୍ର ନେଇ ହଲ୍ଲଗୁଲ୍ଲା ଚାଲିଥିବା ବେଳେ ଦୁଇ ଆଥ୍‌ଲେଟଙ୍କୁ ଏକତ୍ରିତ ପାକିସ୍ତାନୀ ରିୟାଲିଟି ଟିଭି ଶୋ’ ‘ଦି ମିର୍ଜା ମଲିକ ଶୋ’ ରେ ଦେଖିବାକୁ ମିଳିଥିଲା। ଏଥିରେ ସେମାନେ ଉପସ୍ଥାପକ ଭାବେ ପାକିସ୍ତାନୀ ସେଲିବ୍ରଟିଙ୍କ ସାକ୍ଷାତକାର ନେଉଥିଲେ। ସାନିଆ-ଶୋଏବଙ୍କର ଇଜ୍‌ହାନ ମଲିକ ନାମକ ପୁତ୍ର ସନ୍ତାନ ରହିଛି, ଯିଏକି ୨୦୧୮ରେ ଜନ୍ମଗ୍ରହଣ କରିଥିଲେ। ୪୧ ବର୍ଷୀୟ ପାକିସ୍ତାନୀ ଅଲରାଉଣ୍ଡର ତାଙ୍କ ଇନ୍‌ଷ୍ଟାଗ୍ରାମ ବାୟୋ ସନ୍ଦର୍ଭରୁ ‘ହଜ୍‌ବ୍ୟାଣ୍ଡ ଟୁ ଏ ସୁପର ଓମ୍ୟାନ ସାନିଆ ମିର୍ଜା’ ଶୀର୍ଷକକୁ ହଟାଇ ଦେଇଛନ୍ତି। ଏହା ବଦଳରେ ‘ଫାଦର ଟୁ ଓ୍ବାନ ଟ୍ରୁ ବ୍ଲେଶିଂ’ ସ୍ଥାନ ପାଇଛି। ୩୬ ବର୍ଷୀୟା ସାନିଆ ଗତ ମାର୍ଚ୍ଚରେ ହାଇଦ୍ରାବାଦରେ ଏକ ପ୍ରଦର୍ଶନୀ ମ୍ୟାଚ ସହ ଟେନିସ୍‌ରୁ ଅବସର ନେଇଛନ୍ତି। ସେ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ମଲିକଙ୍କ ଫଟୋକୁ ଡିଲିଟ୍‌ କରିଦେଇଛନ୍ତି। ଏହା ବ୍ୟକ୍ତିଗତ ହୋଇଥିବାରୁ ସେମାନେ ପୃଥକ କିମ୍ବା ମିଳିତ ଭାବେ କୌଣସି ବିବୃତି ଦେବା ଉଚିତ ହେବ ନାହିଁ ବୋଲି ମନେକରନ୍ତି।

Share