ନୂଆଦିଲ୍ଲୀ,୨ା୨: କୃଷିକ୍ଷେତ୍ରରେ ଭାରତର ପ୍ରଦର୍ଶନ ଉତ୍ତମ ଥିବା ନେଇ ପାର୍ଲାମେଣ୍ଟରେ ସୋମବାର ଉପସ୍ଥାପିତ ୨୦୨୨-୨୩ ଆର୍ଥିକ ବର୍ଷର ଇକୋନୋମିକ୍ ସର୍ଭେରେ କୁହାଯାଇଛି। ତେବେ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସାଙ୍ଗକୁ ଚାଷ କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ଭଳି ଚ୍ୟାଲେଞ୍ଜର ମୁକାବିଲା ଲାଗି ଏହି ସେକ୍ଟର ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ ବୋଲି ମଧ୍ୟ ଜୋର୍ ଦିଆଯାଇଛି। ଏହା ସତ୍ତ୍ୱେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ କୃଷି କ୍ଷେତ୍ରକୁ ଆଶାନୁରୂପ ଅର୍ଥ ଆବଣ୍ଟନ କରାଯାଇ ନ ଥିବାରୁ ଚାଷୀମାନେ ନିରାଶ ହୋଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ୨.୦ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସୀତାରାମନ ଏହାକୁ ‘ଅମୃତ କାଳ’ର ପ୍ରଥମ ବଜେଟ ବୋଲି ଅଭିହିତ କରିବା ସହ ଭାରତୀୟ ଅର୍ଥନୀତି ଉପଯୁକ୍ତ ଟ୍ରାକ୍ରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଗତି କରୁଥିବା କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରୁ ସମାଜର ସବୁ ବର୍ଗ କିଛି ନା କିଛି ଆଶା କରିଥିଲେ। ତେବେ ଆୟକରରେ ରିହାତି ଦୃଷ୍ଟିରୁ କେବଳ ମଧ୍ୟବିତ୍ତମାନେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। କୃଷି କ୍ଷେତ୍ରକୁ ବଜେଟରେ ବିଶେଷ ଦୃଷ୍ଟି ଦିଆଯାଇ ନ ଥିବାରୁ ଚାଷୀକୁଳ ନିରାଶ ହୋଇଛନ୍ତି। ସେହିପରି ଗ୍ରାମାଞ୍ଚଳର ବିକାଶ ଓ ଗ୍ରାମ୍ୟ ଅର୍ଥନୀତିକୁ ମଜଭୁତ କରିବା ଦିଗରେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ।
ଅର୍ଥମନ୍ତ୍ରୀ ଲୋକ ସଭାରେ ନିଜ ପଞ୍ଚମ ବଜେଟ ଅଭିଭାଷଣରେ କହିଛନ୍ତି, ଗ୍ରାମାଞ୍ଚଳର ଅର୍ଥନୀତିକୁ ତ୍ୱରାନ୍ବିତ କରିବା ପାଇଁ କୃଷି କ୍ଷେତ୍ରକୁ ଜୋର୍ ଦିଆଯାଇଛି। ଆଗାମୀ ୫ ବର୍ଷରେ ସରକାର ଗଁାଗୁଡ଼ିକରେ ବହୁସଂଖ୍ୟକ ବହୁମୁଖୀ ସମବାୟ ସମିତି, ପ୍ରାଥମିକ ମତ୍ସ୍ୟ ସମିତି ଓ ଡେଏରି କୋ-ଅପରେଟିଭ୍ ସୋସାଇଟି ପ୍ରତିଷ୍ଠା କରିବେ। ଏହି ସୋସାଇଟିଗୁଡ଼ିକ ଜୈବିକ କୃଷି, ବିହନ ଓ ରପ୍ତାନିକୁ ପ୍ରୋତ୍ସାହିତ କରିବ। ‘ସହକାର ଜରିଆରେ ସମୃଦ୍ଧି’ ପରିଯୋଜନାକୁ ସାକାର କରିବାରେ ଏହା ବେଶ୍ ସହାୟକ ହେବ। ସେହିପରି ଦେଶବ୍ୟାପୀ ସମବାୟ ସମିତିଗୁଡ଼ିକର ମ୍ୟାପିଙ୍ଗ୍ ପାଇଁ ଏକ ନ୍ୟାଶନାଲ ଡେଟାବେସ୍ ପ୍ରସ୍ତୁତ କରାଯିବ। ଏହା ଜରିଆରେ ସମବାୟ ଉପରେ ପ୍ରସ୍ତାବିତ ଜାତୀୟ ନୀତିକୁ କାର୍ଯ୍ୟକାରୀ କରାଯାଇପାରିବ। କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକ ନିରବଚ୍ଛିନ୍ନ ଯୋଗାଣ ଶୃଙ୍ଖଳକୁ ଏହାଦ୍ୱାରା ନିଶ୍ଚିତ କରାଯାଇପାରିବ। ଫଳରେ କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରି ହେବ ନାହିଁ। ଚାଷୀ ନିଜ ଉତ୍ପାଦିତ ସାମଗ୍ରୀଗୁଡ଼ିକର ଉଚିତ ମୂଲ୍ୟ ପାଇପାରିବେ। ଷ୍ଟୋରେଜ କ୍ଷମତାରେ ବଡ଼ ଧରଣର ବିକେନ୍ଦ୍ରୀକରଣ କରାଯାଇଛି। ଏଥିଯୋଗୁ ଚାଷୀମାନେ ନିଜ ସାମଗ୍ରୀଗୁଡ଼ିକୁ ସଂରକ୍ଷିତ କରି ଉପଯୁକ୍ତ ସମୟରେ ବିକ୍ରି କରିପାରିବେ। ଖାଦ୍ୟଶସ୍ୟକୁ ନଷ୍ଟହେବାରୁ ରୋକାଯାଇପାରିବ ବୋଲି ସୀତାରାମନ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ସମବାୟ ମନ୍ତ୍ରଣାଳୟ ଜରିଆରେ କେନ୍ଦ୍ର ସରକାର ସମବାୟଭିତ୍ତିକ ଅର୍ଥନୈତିକ ବିକାଶର ମଡେଲକୁ ପ୍ରୋତ୍ସାହନ ଦେଉଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ୨,୫୧୬ କୋଟି ଟଙ୍କା ବ୍ୟୟରେ ୬୩,୦୦୦ ପ୍ରାଇମେରି ଏଗ୍ରିକଲ୍ଚର କ୍ରେଡିଟ୍ ସୋସାଇଟି (ପିଏସିଏସ୍)ର କମ୍ପ୍ୟୁଟରୀକରଣ କରାଯାଇଛି। ପିଏସିଏସ୍ଗୁଡ଼ିକୁ ବହୁମୁଖୀ କରିବାରେ ସହାୟକ ହେବା ଭଳି ମଡେଲ ବାଇ-ଲ ମଧ୍ୟ ପ୍ରଣୟନ କରାଯାଇଛି। ଫସଲ ଯୋଜନା ଓ ଷ୍ଟୋରେଜ ଭଳି କୃଷକ-କୈନ୍ଦ୍ରିକ ସମସ୍ୟାର ସମାଧାନ ପାଇଁ ଏକ ଡିଜିଟାଲ ସାଧାରଣ ଭିତ୍ତିଭୂମି ଢାଞ୍ଚା ତିଆରି କରାଯିବ। ଏଗ୍ରିକଲ୍ଚର ଆକ୍ସିଲିରେଶନ୍ ଫଣ୍ଡ ଜରିଆରେ ଏଗ୍ରି ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ମିଳିବ। ଆଗାମୀ ୩ ବର୍ଷ ମଧ୍ୟରେ ୧ କୋଟି ଚାଷୀଙ୍କୁ ଜୈବିକ କୃଷି ଆପଣାଇବା ପାଇଁ ପ୍ରୋତ୍ସାହନ ଦିଆଯିବ। ୧୦,୦୦୦ ବାୟୋ ଇନ୍ପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ। ବିକଳ୍ପ ସାର ବ୍ୟବହାର ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ୍ ପ୍ରଣାମ ଯୋଜନାର ଶୁଭାରମ୍ଭ କରାଯିବ। ପ୍ରାଣୀ ସମ୍ପଦ, ଡେଏରି ଓ ମତ୍ସ୍ୟ ପାଳନକୁ ଗୁରୁତ୍ୱ ଦେବାକୁ ଯାଇ ୨୦୨୪ ପାଇଁ କୃଷି ଋଣ ଟାର୍ଗେଟକୁ ୨୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏଥିରୁ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ପାଇଁ ଋଣ ଦିଆଯିବ। ୨୦୨୦-୨୧ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଏହାର ପରିମାଣ ଯଥାକ୍ରମେ ୧୬.୫୦ ଲକ୍ଷ କୋଟି ଓ ୧୮ ଲକ୍ଷ କୋଟି ଟଙ୍କା ଥିଲା। ସରକାର ଆରମ୍ଭ କରିଥିବା ନ୍ୟାଶନାଲ ମନିଟାଇଜେଶନ୍ ପାଇପ୍ଲାଇନ୍ରେ ୯ ଲକ୍ଷ କୋଟି ଟଙ୍କା ନିବେଶର ସମ୍ଭାବନା ରହିଥିବା ସୀତାରାମନ କହିଛନ୍ତି।
ଯେ, ଇକୋନୋମିକ୍ ସର୍ଭେ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ହାରାହାରି ୪.୬% ଅଭିବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୩% ଥିବାବେଳେ ୨୦୨୧-୨୨ରେ ଏହା ୩% ବଢ଼ିଛି। ଗତ କିଛି ବର୍ଷ ଧରି ଭାରତରେ କୃଷି ସାମଗ୍ରୀ ରପ୍ତାନିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୨୧-୨୨ରେ ଏହି ରପ୍ତାନି ୫୦.୨ ବିଲିୟନ ଡଲାରକୁ ଛୁଇଁ ସର୍ବକାଳୀନ ରେକର୍ଡ କରିଛି।
ଏମ୍ଜିଏନ୍ଆର୍ଇଜିଏସ୍ରେ ୩୨% ହ୍ରାସ
କେନ୍ଦ୍ର ସରକାର ସବୁବେଳେ ଗ୍ରାମାଞ୍ଚଳ ବିକାଶକୁ ଗୁରୁତ୍ୱ ଦେଉଥିବା କହୁଥିବାବେଳେ ମହାମତ୍ା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)କୁ ଲଗାତର ଭାବେ ଅଣଦେଖା କରିଆସୁଛନ୍ତି। ଗ୍ରାମାଞ୍ଚଳର ଉନ୍ନତି ପାଇଁ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏମ୍ଜିଏନ୍ଆର୍ଇଜିଏସ୍ରେ ଗଁାର ପ୍ରତ୍ୟେକ ଗରିବ ପରିବାରର ଅନୂ୍ୟନ ଜଣେ ସଦସ୍ୟଙ୍କୁ ଆର୍ଥିକ ବର୍ଷରେ ୧୦୦ ଦିନର କାମ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥାଆନ୍ତି। ଏହି ଯୋଜନା ଅଧୀନରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରୁ ଏକ-ତୃତୀୟଂଶ ହେଉଛନ୍ତି ମହିଳା। ତେବେ ଏଥର ଏମ୍ଜିଏନ୍ଆର୍ଇଜିଏସ୍ରେ ବିତ୍ତୀୟ ଆବଣ୍ଟନକୁ ପ୍ରାୟ ଏକ-ତୃତୀୟାଂଶ ହ୍ରାସ କରାଯାଇଛି। ଆବଣ୍ଟିତ ଅର୍ଥର ପରିମାଣ ହେଉଛି ୬୦,୦୦୦ କୋଟି, ଯାହାକି ଗତ ଆର୍ଥିକ ବର୍ଷଠାରୁ ୩୨% କମ୍। ୨୦୨୨-୨୩ରେ ସରକାର ଏମ୍ଜିଏନ୍ଆର୍ଇଜିଏସ୍କୁ ୭୩,୦୦୦ କୋଟି ଟଙ୍କା ଦେଇଥିବାବେଳେ ସମୀକ୍ଷା ପରେ ଏହି ବାବଦ ଖର୍ଚ୍ଚ ୮୯,୦୦୦ କୋଟି ଟଙ୍କାକୁ ଛୁଇଁଥିଲା।
ଯେ, ସୋମବାର ଉପସ୍ଥାପିତ ଇକୋନୋମିକ୍ ସର୍ଭେ ଅନୁସାରେ ଏମ୍ଜିଏନ୍ଆର୍ଇଜିଏସ୍ ଅଧୀନରେ କାର୍ଯ୍ୟ ଦାବି କରୁଥିବା ଲୋକଙ୍କ ସଂଖ୍ୟା ୨୦୨୨ ଜୁଲାଇରୁ ନଭେମ୍ବର ମଧ୍ୟରେ ମହାମାରୀ ପୂର୍ବ ସ୍ତରକୁ ଫେରିଆସିଥିଲା। ଗ୍ରାମାଞ୍ଚଳର ଅର୍ଥନୀତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ଏବଂ କୋଭିଡ୍ ଲକ୍ଡାଉନ୍ରୁ ରିକଭର୍ କରୁଥିବା କୁହାଯାଇଥିଲା।
ଗ୍ରାମାଞ୍ଚଳକୁ ଅଣଦେଖା
ଏଥର କେନ୍ଦ୍ରୀୟ ବଜେଟରେ ଗ୍ରାମାଞ୍ଚଳ ବିକାଶକୁ ଗୁରୁତ୍ୱ ଦିଆଯାଇ ନାହିଁ। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧,୫୭,୫୪୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଆକଳନ ତୁଳନାରେ ଏହି ପରିମାଣ ୧୩% କମ୍। ୨୦୨୨-୨୩ ବଜେଟରେ ମନ୍ତ୍ରଣାଳୟକୁ ୧,୩୫,୯୪୪.୨୯ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ସୀତାରାମନ କହିଥିଲେ। ପରବର୍ତ୍ତୀ ସମୟରେ ସମୀକ୍ଷା ପରେ ଏହି ପରିମାଣ ୧,୮୧,୧୨୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୋଲି କୁହାଯାଇଥିଲା। ୨୦୨୧-୨୨ରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର ବ୍ୟୟ ୧,୬୦,୪୩୩.୪ କୋଟି ଟଙ୍କା ରହିଥିଲା।
ପିଏମ୍-ପ୍ରଣାମରେ ବିକଳ୍ପ ସାରକୁ ପ୍ରୋତ୍ସାହନ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ-ପ୍ରମୋଶନ ଅଫ୍ ଅଲ୍ଟର୍ନେଟିଭ୍ ନ୍ୟୁଟ୍ରିଶନ୍ ଫର୍ ଏଗ୍ରିକଳ୍ଚର ମ୍ୟାନେଜମେଣ୍ଟ ଯୋଜନା (ପିଏମ୍-ପ୍ରଣାମ)ର ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ବିକଳ୍ପ ସାରକୁ ପ୍ରୋତ୍ସାହନ ଦେବା ଲାଗି ଏହି ଯୋଜନାରେ ରାଜ୍ୟଗୁଡ଼ିକୁ ଅର୍ଥ ପ୍ରଦାନ କରାଯିବ। ଫଳରେ ସାର ଉପରେ ରାଜ୍ୟଗୁଡ଼କର ନିର୍ଭରଶୀଳତା ହ୍ରାସ ପାଇବ। ସେହିପରି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ ମଧ୍ୟ ଲଞ୍ଚ କରାଯିବ। ଏହି ଯୋଜନାରେ ୩୦ ସ୍କିଲ୍ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଦେଶର ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରି ଗଢ଼ି ତୋଳିବା ଉଦ୍ଦେଶ୍ୟରେ ୩୦୦ ଦକ୍ଷତା ବିକାଶ ପାଠ୍ୟକ୍ରମ ଉପଲବ୍ଧ କରିବା ପାଇଁ ୨୦୨୧ରେ ଏହି ଯୋଜନା କରାଯାଇଥିଲା।
ଗ୍ରାମ ସଡ଼କ ଯୋଜନା: ନାମକୁ ମାତ୍ର ବୃଦ୍ଧି
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ଓ୍ବାଇ)ରେ ନୂଆ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ଅର୍ଥର ପରିମାଣ ବୃଦ୍ଧି କରାଯାଇ ନାହିଁ। ପୂର୍ବ ବର୍ଷର ବଜେଟରେ ଏହି ପରିମାଣ ୧୯,୦୦୦ କୋଟି ଟଙ୍କା ଥିଲା। ପୂର୍ବ ବଜେଟରେ ଜାତୀୟ ଜୀବିକା ମିଶନ ‘ଆଜିବୀକା’ ପାଇଁ ୧୩,୩୩୬.୪୨ କୋଟି ଟଙ୍କା ଦିଆଯାଇ ଥିବା ବେଳେ ଏଥର ୧୪,୧୨୯.୧୭ କୋଟି ଆବଣ୍ଟନ କରାଯାଇଛି।
ପିଏମ୍ଏଓ୍ବାଇ ପାଇଁ ୬୫% ବୃଦ୍ଧି
୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ) ରୁରାଲ ଅଧୀନରେ ୮୪ ଲକ୍ଷ ଘର ନିର୍ମାଣ ପାଇଁ ୪୮,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏଥର ପାଇଁ ଏଥର ୬୫% ଅଧିକ ଅର୍ଥାତ୍ ୭୯,୦୦୦ କୋଟି ଟଙ୍କା ଦିଆଯାଇଥିବା ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଅନ୍ୟପକ୍ଷେ ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନକୁ ଏଥର ଆଦୌ ଅବଣ୍ଟନ କରାଯାଇ ନାହିଁ। ୨୦୨୨-୨୩ରେ ଏହି ମିଶନ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଥିଲା। ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ଲାଗି ୨୦୧୬ରେ ଏହି ମିଶନ ଆରମ୍ଭ କରାଯାଇଥିଲା।
ମହିଳାଙ୍କ ପାଇଁ ନୂଆ ସଞ୍ଚୟ ଯୋଜନା
ଏହି ବଜେଟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ୨୫,୪୪୮.୭୫ କୋଟି ଟଙ୍କା ଦିଆଯିବ, ଯାହାକି ଗତ ଆର୍ଥିକ ବର୍ଷରେ ଆବଣ୍ଟିତ ୨୫,୧୭୨.୨୮ କୋଟି ଟଙ୍କାଠାରୁ ମାତ୍ର ୨୬୭ କୋଟି ଅଧିକ। ତେବେ ନିର୍ମଳା ସୀତାରାମନଙ୍କ ବଜେଟ ଅଭିଭାଷଣର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ‘ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍’। ଏହି ନୂଆ ଯୋଜନାରେ ମହିଳାମାନେ ୨ ବର୍ଷ ପାଇଁ ସଞ୍ଚୟ କଲେ ୭.୫% ସୁଧ ପାଇବେ। ‘ମହିଳା ସମ୍ମାନ ସେଭିଂ ପାତ୍ର’ରେ ଜଣେ ମହିଳା କିମ୍ବା ଶିଶୁକନ୍ୟାଙ୍କ ନାମରେ ଏକକାଳୀନ ଅର୍ଥ ଜମା କରାଯିବ। ସର୍ବାଧିକ ଜମାରାଶି ୨ ଲକ୍ଷ ଟଙ୍କାରେ ସୀମିତ ରହିବ, ଯହିଁରୁ ଆଂଶିକ ଅର୍ଥ ଉଠାଣ କରିହେବ। ଅନ୍ୟପକ୍ଷେ ମହିଳାଙ୍କୁ ଆର୍ଥିକ ଦିଗରୁ ସଶକ୍ତ କରିବା ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ନ୍ୟାଶନାଲ ରୁରାଲ ଲିଭ୍ଲିହୁଡ୍ ମିଶନ ଅଧୀନେରେ ୮୧ ଲକ୍ଷ ସ୍ବୟଂସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ପ୍ରତିଷ୍ଠା କରାଯାଇଛି। ଏହି ଗ୍ରୁପ୍ଗୁଡ଼ିକୁ ଆର୍ଥିକ ସଶକ୍ତୀକରଣର ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ପାଇଁ ବୃହତ୍ ଉତ୍ପାଦକ ଏଣ୍ଟରପ୍ରାଇଜେସ୍ ବା କଲେକ୍ଟିଭ୍ସ ଗଠନ କରାଯିବ। ପ୍ରତ୍ୟେକ ଗୋଷ୍ଠୀରେ ଅନେକ ହଜାର ମହିଳା ସଦସ୍ୟ ରହିବେ।
ପିଏମ୍-କିଷାନ: ୩ କୋଟି ମହିଳା କୃଷକ ପାଇଛନ୍ତି ୫୪ ହଜାର କୋଟି ଟଙ୍କା
ଅର୍ଥମନ୍ତ୍ରୀ କହିଛନ୍ତି, ପିଏମ୍-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କ୍ଷୁଦ୍ର ଚାଷୀମାନଙ୍କୁ ୨.୨୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଛି। ପ୍ରାୟ ୩ କୋଟି ମହିଳା କୃଷକଙ୍କୁ ଏଥିରୁ ୫୪,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସର୍ବାଧିକ ଆବଣ୍ଟନ ସକ୍ଷମ ଅଙ୍ଗନଓ୍ବାଡି ଏବଂ ପୋଷଣ ୨.୦ (ଅମ୍ବ୍ରେଲା ଆଇସିଡିଏସ୍-ଅଙ୍ଗନଓ୍ବାଡି ସେବା, ପୋଷଣ ଅଭିଯାନ ) ପାଇଁ କରାଯାଇଛି। ଏହି ବାବଦରେ ମୋଟ ୨୦,୫୫୪.୩୧ କୋଟି ଟଙ୍କା।
ସେହିପରି ମିଶନ ବାତ୍ସଲ୍ୟ (ଶିଶୁ ସୁରକ୍ଷା ସେବା ଓ ଶିଶୁ ମଙ୍ଗଳ ସେବା)କୁ ୧,୪୭୨ କୋଟି ଟଙ୍କା ଦିଆଯାଇଛି। ମିଶନ ଶକ୍ତି (ମହିଳା ସଶକ୍ତୀକରଣ)କୁ ୨୦୨୨-୨୩ରେ ୩,୧୮୪ କୋଟି ଟଙ୍କା ଦିଆଯାଇଥିବାବେଳେ ଏଥର ୩,୧୪୩ କୋଟି ଆବଣ୍ଟନ କରାଯାଇଛି।