‘ଶାନ୍ତ, ସହନଶୀଳ ହେଲେ ଜ୍ଞାନ ବୃଦ୍ଧି ହୁଏ’

କଟକ,୨୩।୮ (କାର୍ତ୍ତିକ ସାହୁ): ମଣିଷ ମଧ୍ୟରେ ଅନ୍ତର୍ନିହିତ ଚିନ୍ତାଶକ୍ତି ଭରି ରହିଛି। ଏହି ଚିନ୍ତାଶକ୍ତିର ବ୍ୟବହାର ପ୍ରତ୍ୟେକ ଦିନ କରାଯିବା ଆବଶ୍ୟକ। ପ୍ରତ୍ୟେକ ପିଲାଠାରେ ରହିଥିବା ଜାଣିବାର ଇଚ୍ଛା ଗୁଣ ଈଶ୍ୱରଦତ୍ତ। ତା’କୁ ମାତାପିତା ବାଧା ଦେବା ଉଚିତ୍‌ ନୁହେଁ। କାହିଁକି ନା ପ୍ରଶ୍ନ ପଚାରିବାର ଆଗ୍ରହ ରହିଲେ ପିଲାମାନେ ସବୁକିଛି ଜାଣିପାରିବେ। ଠିକ୍‌ଭୁଲ୍‌ର ବିଚାର କରିପାରିବେ ବୋଲି ‘ଧରିତ୍ରୀ’ର ୫୦ବର୍ଷ ପାଳନ ଉପଲକ୍ଷେ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଛନ୍ତି।
ସତପଥୀ କହିଲେ, ଆମେ ଜ୍ଞାନକୁ ଏକ ଲକ୍ଷ୍ୟ ବୋଲି ଭାବୁ। ଜ୍ଞାନର କୌଣସି ନିର୍ଦ୍ଦିଷ୍ଟ ସୀମା ନ ଥାଏ। ସାଧାରଣ ମଣିଷ ମାନସିକ ଶକ୍ତିର ମାତ୍ର ୭.୩% ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି। ଆଇନ୍‌ଷ୍ଟାଇନଙ୍କ ଭଳି ବୈଜ୍ଞାନିକ ମାନସିକ ଶକ୍ତିର ୨୩ରୁ ୨୭% ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି। ଅଶାନ୍ତ ପରିସ୍ଥିତିରେ ଆମେ କିଛି ଶିଖିପାରିବା ନାହିଁ। ଯେତେବେଳେ ଜଣେ ସହନଶୀଳ ହୋଇଯିବ, ଆଗକୁ ଯିବା ସହଜ ହେବ। ତେଣୁ ଯୁବପିଢ଼ି ସର୍ବଦା ଶାନ୍ତ ରହିବା ଆବଶ୍ୟକ। ଶାନ୍ତ ଏବଂ ସହନଶୀଳ ରହିଲେ ପ୍ରଶ୍ନ କରିବାର ସାମର୍ଥ୍ୟ ଆସିବ। ବ୍ୟକ୍ତିଗତସ୍ତରରେ ମଧ୍ୟ ଉନ୍ନତି ହେବ। ଯୁବପିଢ଼ି ପ୍ରଶ୍ନ ପଚାରନ୍ତୁ, ଜ୍ଞାନବୃଦ୍ଧି କରନ୍ତୁ। ସେ ଆହୁରି ମଧ୍ୟ କହିଲେ ଯେ, ମାତୃଭାଷାକୁ ଗଭୀରତାର ସହ ଶିଖିଲେ ସବୁ ଭାଷା ଶିଖି ହୋଇଯିବ। ଓଡ଼ିଆ ଭାଷା ପାଲି ଭାଷାରୁ ଆସିଛି। ସେଥିପାଇଁ ଏହାର ଅକ୍ଷର ଉପରେ ଗାର ପଡ଼ିନାହିଁ। ସେଥିପାଇଁ ଆମ ଭାଷା ସମ୍ପୂର୍ଣ୍ଣ ଭିନ୍ନ ଓ ଏହାକୁ ନେଇ ଆମେ ଗର୍ବ କରିବା ଉଚିତ୍‌। ଯୁବପିଢ଼ିଙ୍କ ପାଇଁ ପ୍ରଥମେ ମା’ବାପା, ଦ୍ୱିତୀୟରେ ଶିକ୍ଷୟିତ୍ରୀଶିକ୍ଷକ ଓ ତା’ପରେ ସମାଜ ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡ. ଗାୟତ୍ରୀ ବିଶ୍ୱାଳ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଯୁବପିଢ଼ି ଦେଶର ଭବିଷ୍ୟତ। ସେମାନେ ସର୍ବଦା ଆଗକୁ ଆସନ୍ତୁ। ଦେଶ ପାଇଁ କିଛି କରିବାର ମନୋବୃତ୍ତି ସେମାନଙ୍କଠାରେ ରହୁ। ବରେଣ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଆଡ୍‌ମିନିଷ୍ଟ୍ରେଟିଭ ବର୍‌ସାର ଡ. ପ୍ରଶାନ୍ତ କୁମାର ସାମନ୍ତରାୟ କହିଲେ, ଗଣମାଧ୍ୟମରେ ଦୈନନ୍ଦିନ ଅନେକ ଶିକ୍ଷଣୀୟ ପ୍ରସଙ୍ଗ ରହୁଛି। ଯୁବପିଢ଼ି ସେସବୁ ଅଧ୍ୟୟନ କରିବା ଆବଶ୍ୟକ। ନିଜ ଜୀବନରେ ମାର୍ଗଦର୍ଶନ ପାଇଁ ଆଦର୍ଶକୁ ଅନୁସରଣ କରିବା ଉଚିତ।
ବିଚାରକ ଭାବେ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ମୌସୁମୀ ପଟ୍ଟନାୟକ କହିଲେ, ସାମାଜିକ ଗଣମାଧ୍ୟମରେ ଆସୁଥିବା ଗଣମାଧ୍ୟମରେ ବ୍ୟବସାୟୀକରଣ ପାଇଁ ଅନେକ ସମୟରେ ମିଥ୍ୟା ଖବର ଆସୁଛି। ଯୁବପିଢ଼ି ଏଥିପ୍ରତି ସଜାଗ ରହିବା ଆବଶ୍ୟକ। ଗଣତନ୍ତ୍ରରେ ସୂଚନା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହାକୁ ପାଇବା ଦିଗରେ ମୁଦ୍ରିତ ଗଣମାଧ୍ୟମ ହିଁ ନିର୍ଭରଯୋଗ୍ୟ। ସବୁଦିଗରୁ ଖବରର ସତ୍ୟତା ପରଖିବା ପରେ ତାହାକୁ ବିଶ୍ୱାସକୁ ନେବା ଉଚିତ୍‌। ବିଚାରକ ଭାବେ ଇମର୍ତ୍ତିଦେବୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପିକା ମୋନିକା ନନ୍ଦ କହିଲେ, ବର୍ତ୍ତମାନ ଗଣମାଧ୍ୟମରେ ଯୁବପିଢ଼ିଙ୍କୁ ସାମିଲ କରାଇବା ଭଳି ଅଧିକ ଉପାଦାନ ରହୁଛି। ପୂର୍ବଠାରୁ ବର୍ତ୍ତମାନର ଗଣମାଧ୍ୟମ ଅପେକ୍ଷାକୃତ ଅଧିକ କ୍ରିୟାଶୀଳ ହୋଇପାରିଛି। ଗଣମାଧ୍ୟମରେ ଯୁବପିଢ଼ି ନିଜର ମତ ଉପସ୍ଥାପନ କରିବାର ସୁଯୋଗ ପାଉଛନ୍ତି, ଯାହାକି ସେମାନଙ୍କୁ ଦେଶ ତଥା ସମାଜ ପାଇଁ ଚିନ୍ତା କରିବାର ଅବକାଶ ଆଣିଦେଉଛି। ଅନ୍ୟତମ ବିଚାରକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ତଥା ରିଡର୍‌ ଡ. ରାଜେନ୍ଦ୍ର କୁମାର କୁଅଁର କହିଲେ, ଗଣତାନ୍ତ୍ରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ଉଭୟ ଯୁବପିଢ଼ି ଓ ଗଣମାଧ୍ୟମର ଆବଶ୍ୟକତା ରହିଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିର୍ଭିକ ଓ ବଳିଷ୍ଠ ଜନମତ ଗଢ଼ି ତୋଳିବାରେ ସହାୟକ ହେଉଛି। ଯୁବଶକ୍ତି ହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବାକୁ ଆଗେଇ ଆସିବା ଉଚିତ୍‌। ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ନରେନ୍ଦ୍ର ନାଥ ନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡ. ସଞ୍ଜିତା ମିଶ୍ର କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ, ଇମର୍ତ୍ତିଦେବୀ ମହିଳା ମହାବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରୁ ୧୯ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ମଧୁସ୍ମିତା ସାହୁ ପ୍ରଥମ, ସୁଶ୍ରୀ ସଙ୍ଗୀତା ସାହୁ ଦ୍ୱିତୀୟ ଓ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ପ୍ରିୟଙ୍କା ବେହେରା ତୃତୀୟ ବିଜେତା ଘୋଷିତ ହୋଇଥିଲେ। ଧରିତ୍ରୀ ପକ୍ଷରୁ ପି. କେ. ରଥ, କାର୍ତ୍ତିକ ସାହୁ, ସୁପ୍ରିୟା ପ୍ରିୟଦର୍ଶିନୀ, ରାଜକିଶୋର ମହାନ୍ତି, ପ୍ରସନ୍ନ କୁମାର ପାଢ଼ୀ, ବିଶ୍ୱଜିତ୍‌ ନାୟକ, ମାନସ କୁମାର ସାମଲ, ସତ୍ୟରଞ୍ଜନ ଦାସମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

 

ସାମାଜିକ ଗଣମାଧ୍ୟମ ଭରସାଯୋଗ୍ୟ ନୁହେଁ। ବର୍ତ୍ତମାନର ଡିଜିଟାଲ ଯୁଗରେ ମୁଦ୍ରିତ ଗଣମାଧ୍ୟମର ଏକ ଦସ୍ତାବିଜ୍‌ ସଦୃଶ। ସତ୍ୟର ପ୍ରତିଷ୍ଠା କ୍ଷେତ୍ରରେ ଯୁବପିଢ଼ି ସର୍ବଦା ଚେଷ୍ଟିତ ରହନ୍ତୁ। ହୀନ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଯୁବପିଢ଼ି ଗଣତନ୍ତ୍ରର ସୁରକ୍ଷା ପାଇଁ ନିଜକୁ ସାମିଲ କରନ୍ତୁ। ଗଣମାଧ୍ୟମରେ ଅଯଥା ଛୋଟ ପ୍ରସଙ୍ଗକୁ ବିରାଟ କରାନଯାଉ। ଏହାଦ୍ୱାରା ସମାଜ ଉପରେ କୁପ୍ରଭାବ ପଡ଼ୁଛି । ଧରିତ୍ରୀର ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ।
-ମଧୁସ୍ମିତା ସାହୁ,ପ୍ରଥମ,
ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ
ଆଜିକାଲି ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ଅଭାବ ଦେଖାଦେଇଛି। ଏଥିପାଇଁ ଯୁବପିଢ଼ି ପଦକ୍ଷେପ ନେବା ଆବଶ୍ୟକ। ଦେଶର ସଚେତନ ଯୁବପିଢ଼ି ହିସାବରେ ଆମେ ଅଧିକ ଦାୟିତ୍ୱବାନ ତଥା ଦକ୍ଷତାର ସହ କାର୍ଯ୍ୟ କରିପାରିବା। ଯୁବପିଢ଼ି ଯେପରି ଗଣମାଧ୍ୟମର ଟିଆର୍‌ପିରେ ଧ୍ୟାନ ନ ଦେଇ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ଖବର ଲୋକମାନଙ୍କ ପାଖରେ ପହଞ୍ଚତ୍ବା ଦରକାର। ସରକାରରେ ଥିବା ଶାସକ ଦଳ ଗଣତନ୍ତ୍ର ଦ୍ୱାରା ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ଚଲାଉଛନ୍ତି, ଉପଯୁକ୍ତ ସାମ୍ବାଦିକତା ମାଧ୍ୟମରେ ସେମାନଙ୍କ ଲୋକ ସମ୍ମୁଖରେ ଆସିପାରିବ।
– ସୁଶ୍ରୀ ସଙ୍ଗୀତା ସାହୁ, ଦ୍ୱିତୀୟ,
ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ
ଗଣତନ୍ତ୍ରକୁ ଆଗେଇ ନେବାରେ ଗଣମାଧ୍ୟମ ଏକ ବଳିଷ୍ଠ ମାଧ୍ୟମ। ଗଣମାଧ୍ୟମ ଦ୍ୱାରା ଯୁବପିଢ଼ି ବହୁ ଭାବେ ପ୍ରଭାବିତ ହୋଇଥାନ୍ତି। ଗଣମାଧ୍ୟମ ଦ୍ୱାରା ସମାଜରେ ହେଉଥିବା ଦୁର୍ନୀତି ଆଦିର ପର୍ଦ୍ଦାଫାଶ ହେଉଛି। ଲୋକେ ସଜାଗ ହୋଇପାରୁଛନ୍ତି। ତେଣୁ ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ଯୁବପିଢ଼ିକୁ ସଚେତନ କରାଇବାରେ ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ଆଗାମୀ କାଲିର ଭବିଷ୍ୟତ ଭାବେ ରାଷ୍ଟ୍ର ନିର୍ମାଣରେ ଏବେଠୁ ଯୁବସମାଜ ଦୃଢ଼ ସଙ୍କଳ୍ପ ନେବାର ଆବଶ୍ୟକତା ରହିଛି।
– ପ୍ରିୟଙ୍କା ବେହେରା, ତୃତୀୟ,
ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ
Share