ସ୍ପିଡ୍‌ ବୋଟ୍‌ ଅଚଳ: ମତ୍ସ୍ୟ ବିଭାଗ ପାଟ୍ରୋଲିଂ କରୁନାହିଁ

ପାରାଦୀପ,୧୫ା୧୨(ଶରତ ରାଉତ): ଓଡ଼ିଶାର ପୂର୍ବ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଲାଗୁ କରାଯାଇଛି। ଏହି ସମୟରେ କୌଣସି ମତ୍ସ୍ୟଜୀବୀ କିମ୍ବା ମାଛଧରା ବୋଟ୍‌ କଇଁଛ କଟକଣା ଅଞ୍ଚଳରେ ମାଛ ଧରିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ୍ସ୍ୟ ବିଭାଗ, ବନ ବିଭାଗ ଓ କୋଷ୍ଟଗାର୍ଡ ହାତରେ କ୍ଷମତା ରହିଛି। ଏହି ୩ ବିଭାଗ ସମୁଦ୍ରରେ ପାଟ୍ରୋଲିଂ କରିବା କଥା। କିନ୍ତୁ ପାରାଦୀପ ମତ୍ସ୍ୟ ବିଭାଗ (ସାମୁଦ୍ରିକ) ଏ ପର୍ଯ୍ୟନ୍ତ ସମୁଦ୍ରରେ ପାଟ୍ରୋଲିଂ କରିନାହିଁ। ଆଗକୁ କରିବ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି। କାରଣ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କରଙ୍କୁ ପଚାରିଲେ କୁହନ୍ତି, ଆମ ପାଖରେ ପାଟ୍ରୋଲିଂ ବୋଟ୍‌ ନାହିଁ। ଯେଉଁ ଏମ୍‌ଏଲ୍‌ସି ହର୍ସ ବୋଟ୍‌ ଥିଲା, ତାହା ୨୦୨୧ରୁ ଅଚଳ ଅବସ୍ଥାରେ ଅଛି। କୌଣସି ଭଡ଼ା ବୋଟ୍‌ ନେଇ ପାଟ୍ରୋଲିଂ କରିବାକୁ ବଜେଟ ନାହିଁ। ଉଚ୍ଚପଦସ୍ଥ ଅଧିକାରୀମାନେ ବଜେଟ ଓ ସ୍ବୀକୃତି ଦେବା ପରେ ଯାଇ ଯାହା କିଛି ହେବ। ଏବେ କୋଷ୍ଟଗାର୍ଡ ଓ ରାଜନଗର ବନ ବିଭାଗ ପାଟ୍ରୋଲିଂ କରୁଛନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟ, ପାରାଦୀପ ମତ୍ସ୍ୟ ବିଭାଗ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ୨୦୦୭ ସେପ୍ଟେମ୍ବର ୨୫ରେ ଏକ ପାଟ୍ରୋଲିଂ ବୋଟ୍‌ ସି ହର୍ସ ଆଣିଥିଲେ। ସେତେବେଳେ ଏହାକୁ ପରିଚାଳନା ପାଇଁ ୬ ଜଣ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଥିଲେ। ଉକ୍ତ ବୋଟ୍‌ ୨୦୧୬ରୁ ଅଚଳ ରହିଛି। ଏ ସମ୍ପର୍କରେ ଜନସୂଚନା ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। ସେଥିରେ ମତ୍ସ୍ୟ ଅଧିକାରୀ କର ସୂଚନା ଦେଇଛନ୍ତି, ସି ହର୍ସ ସମୁଦାୟ ୨୩୨୬ ଘଣ୍ଟା ପାଟ୍ରୋଲିଂ କରିଛି। ୨୦୧୬ରୁ ୨୦୨୨ ମଧ୍ୟରେ ୩ଥର ମରାମତି ହୋଇଛି। ଏଥିପାଇଁ ୨୧୮୬୩୬୯ ଟଙ୍କା ଖର୍ଚ୍ଚ ହୋଇଛି। ଏହାସତ୍ତ୍ୱେ ସେହି ବୋଟକୁ ଅଚଳ ଘୋଷଣା କରାଯାଇଛି। ନିଯୁକ୍ତି ପାଇଥିବା ୬ ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଅବସର ନେଇ ସାରିଲେଣି। ଅବଶିଷ୍ଟ ୩ ଜଣ ଏବେ ସେହି ବୋଟକୁ ଜଗିବା କାମରେ ଅଛନ୍ତି।