କ୍ଷେପଣାସ୍ତ୍ରର ବେଗ ବଢ଼ିିବ: ଡିଆର୍‌ଡିଓ ପକ୍ଷରୁ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୭।୯: ଆଗାମୀ ଦିନରେ ଭାରତ ପାଖରେ ଦ୍ରୁତବେଗରେ ଗତି କରିପାରୁଥିବା କ୍ଷେପଣାସ୍ତ୍ର ରହିବ। ଡିଆର୍‌ଡିଓ ପକ୍ଷରୁ ସଫଳତାର ସହିତ ଏହାର ପରୀକ୍ଷଣ ସୋମବାର କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଓଡ଼ିଶାର ବାଲେଶ୍ୱରସ୍ଥିତ ହ୍ବିଲର ଦ୍ୱୀପର ଡ. ଅବଦୁଲ୍‌ କାଲାମ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ୩ରେ ଏହାର ପରୀକ୍ଷଣ କରାଯାଇଛି। ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ସ୍କ୍ରାମ୍‌ଜେଟ୍‌ ପ୍ରୋପଲଶନ୍‌ ସିଷ୍ଟମର ଉପଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଡିଆର୍‌ଡିଓ ପୂରଣ କରିଥିବା ସେ କହିଛନ୍ତି। ହାଇପରସୋନିକ୍‌ ଜ୍ଞାନକୌଶଳ ଆଧାରରେ ଏହାର ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଗାମୀ ଦିନରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଡିଆର୍‌ଡିଓ ପକ୍ଷରୁ ଗବେଷଣା ଆରମ୍ଭ ହେବ। ଏହି ବ୍ୟବସ୍ଥା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବ। ଆଖିପିଛୁଳାକେ କ୍ଷେପଣାସ୍ତ୍ର ଶତ୍ରୁ ଶିବିରର ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ ବୋଲି ରାଜନାଥ କହିଛନ୍ତି।

Share