ଦଶମନ୍ତପୁର,୧୪ା୧୧( ଡି.ଏନ.ଏ.): ପକ୍କା ଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦମ୍ପତି। ବର୍ଷା ଦିନେ ବର୍ଷାପାଣି ଘର ଭିତରେ ଲହଡି ଭାଙ୍ଗୁଛି। ପାଣି ପଡିଲେ କାନ୍ଥରୁ ଖସୁଛି ମାଟି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତର ମିଟକଲର୍ଳୀ ଗ୍ରାମରେ। ଏହି ଗ୍ରାମର ଶିତ୍ରୁ ସାଉନ୍ତାଙ୍କ ଦୁଇ ପୁଅ ବିବାହ ପରେ ଅଲଗା ରହିବାରୁ ଏବେ ଦୁଃଖ କଷ୍ଟରେ ଚଳୁଛନ୍ତି ଶିତ୍ରୁ ଆଉ ତାଙ୍କ ସ୍ତ୍ରୀ ରାମ୍ବାଇ। ସରକାରୀ ସୁବିଧା ବିଶେଷ କିଛି ମିଳିନି ଉଭୟଙ୍କୁ। କେବଳ ଚାଉଳ କାର୍ଡ ଅଛି ଆଉ ଯାହା ଉଭୟଙ୍କୁ ଭତ୍ତା ମିଳୁଛି । ଶିତ୍ରୁ କହନ୍ତି, ସେମାନେ ଦୀର୍ଘ ଦିନ ହେଲା ଏହି ଭଙ୍ଗା ଦଦରା ଝାଟିମାଟି ଘରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ନିଜ ସ୍ବଳ୍ପ ଜମିରୁ ଯାହା ଉପାର୍ଜନ ହୁଏ ସେଥିରେ ବହୁ କଷ୍ଟରେ ଚଳୁଛନ୍ତି ଉଭୟେ। ଆବାସ ଗୃହ ଖଣ୍ଡେ ପାଇଁ ପଲ୍ଲିସଭା ଓ ଗ୍ରାମସଭାରେ ନିବେଦନ କରିଥିଲେ ମଧ୍ୟ ୨ଟି ପଞ୍ଚାୟତ ନିର୍ବାଚନ ଗଲାଣି ଏଯାଏ ମିଳିଲାନି ବୋଲି କହିଛନ୍ତି ଶିତ୍ରୁ। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।