୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁ ସ୍ପାଇସ୍‌ ଜେଟ୍‌ ଉଡ଼ାଣ

ଭୁବନେଶ୍ୱର/ଲଖନପୁର,୩ା୧(ବ୍ୟୁରୋ/ଡି.ଏନ.ଏ.): ଜାନୁୟାରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ ଜେଟ୍‌ ଉଡ଼ାଣ ଆରମ୍ଭ କରିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଟୁଇଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଏହା ପଶ୍ଚିମ ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱରାନ୍ବିତ କରିବା ସହ ସେହି ଅଞ୍ଚଳର ଲୋକମାନଙ୍କ ଆଶାକୁ ମଧ୍ୟ ପୂରଣ କରିପାରିବ ବୋଲି ଟୁଇଟରରେ କୁହାଯାଇଛି। ଏହି ବିମାନ ଉଡ଼ାଣ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ସପ୍ତାହକୁ ୪ ଦିନ ଚଳାଚଳ କରିବ। ସେହି ଦିନଗୁଡିକ ହେଲା ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର। ଏ ନେଇ ଅଗ୍ରିମ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ସମୟ ସାରଣୀ ପ୍ରକାଶ ପାଇଛି ବୋଲି ଭିଏସ୍‌ଏସ୍‌ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରରୁ ଯାତ୍ରୀମାନଙ୍କୁ ବେଙ୍ଗାଲୁରୁ କିମ୍ବା ମୁମ୍ବାଇ ଯିବା ପାଇଁ ଭୁବନେଶ୍ୱର କିମ୍ବା କୋଲକାତା ବାଟ ଦେଇ ଯିବାକୁ ପଡୁଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଉଦ୍‌ଘାଟନ କରିଥିଲେ। ବିଜୁ ପଟ୍ଟନାୟକ ବିମାନବନ୍ଦର ପରେ ଓଡ଼ିଶାରେ ଏହା ହେଉଛି ଦ୍ୱିତୀୟ।

Share