Categories: ଜାତୀୟ

ସ୍ପାଇସଜେଟ ପ୍ଲେନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୮: ବିମାନରେ ଯାତ୍ରୀଙ୍କ ଦ୍ୱାରା ବେଳେ ବେଳେ କିଛି ଭୁଲ କାମ କରାଯାଉଥିବା ସୂଚନା ବହୁବାର ମିଳିଛି। କେବେ କେବେ ଯାତ୍ରୀମାନେ ପରସ୍ପର ସହ ଝଗଡା କରିବା ତ ଆଉ କେତେବେଳେ କେହି ଯାତ୍ରୀ ଆଉ କାହା ଉପରେ ପରିସ୍ରା କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏବେ ସ୍ପାଇସଜେଟରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୨ରେ, ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସ୍ପାଇସଜେଟ ବିମାନ ଏସଜି ୧୫୭ରେ ଉତ୍ତେଜନା ଦେଖାଦେଇଥିଲା। ପ୍ରଥମ ଧାଡିରେ ବସିଥିବା ଜଣେ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କ ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳିଥିଲା। ବିମାନ ଉଡ଼ାଣ ସମୟରେ ଯାତ୍ରୀ ଫଟୋ କ୍ଲିକ କରିଥିଲେ ଯେତେବେଳେ କ୍ୟାବିନ କର୍ମଚାରୀମାନେ ଜମ୍ପ ସିଟରେ ବସିଥିଲେ। ଏହା ପରେ ଯାତ୍ରୀ ଜଣଙ୍କ କର୍ମଚାରୀଙ୍କ ସହ ଝଗଡା କରିଥିଲେ।
ପରେ ଯାତ୍ରୀ ତାଙ୍କ ଫୋନରୁ ଚିତ୍ରଗୁଡ଼ିକୁ ଡିଲିଟ କରି ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ। ଯାତ୍ରୀ ଏକ ଲିଖିତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।

Share