Categories: ଜାତୀୟ

ସ୍ପାଇସ୍‌ଜେଟ୍‌ର ୨ଯାତ୍ରୀ ଆଇସିୟୁରେ ଭର୍ତ୍ତି : ତଦନ୍ତ ଆରମ୍ଭ କଲା ଡିଜିସିଏ

ନୂଆଦିଲ୍ଲୀ,୨।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ଗଠିତ ଟିମ୍‌ ସୋମବାର ଏହାର ତଦନ୍ତ ଆରମ୍ଭ କରିଛି। ଏସ୍‌ଜି-୯୪୫ ବିମାନରେ ସିଟ୍‌ ବେଲ୍ଟ ସଙ୍କେତ ଦିଆଯିବା ସହ ଯାତ୍ରାମାନଙ୍କୁ ସିଟ୍‌ରେ ବସିରହିବା ଲାଗି କ୍ରିଉ ମେମ୍ବରମାନେ ବାରମ୍ବାର ଘୋଷଣା କରିଥିଲେ ବୋଲି ସ୍ପାଇସ୍‌ଜେଟ୍‌ ପକ୍ଷରୁ କୁହାଯାଇଛି। ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁଯାୟୀ ବିମାନଟି ଦୁର୍ଗାପୁରରେ ଅବତରଣ କରିବା ସମୟରେ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଏଥିଯୋଗୁ ଯାତ୍ରୀ କ୍ଷତିଗ୍ରସ୍ତ ହେବା ଦୁର୍ଭାଗ୍ୟଜନକ। ଏହାକୁ ଗୁରୁତର ସହ ନିଆଯାଇଛି। ଘଟଣାର ତଦନ୍ତ ପାଇଁ ଡିଜିସିଏ ଏକ ଟିମ୍‌କୁ ଦାୟିତ୍ୱ ଦେଇଥିବା ସେ କହିଛନ୍ତି।

Share