ଟିକ୍‌ଟକ୍‌ ଚ୍ୟାଲେଞ୍ଜ ପାଇଁ ବଢ଼ୁଛି କାର୍‌ ଚୋରି

ଓ୍ବାଶିଂଟନ,୧୩।୯: ଆମେରିକାର ଲସ୍‌ଏଞ୍ଜେଲସ୍‌ରେ ଟିକ୍‌ଟକ୍‌ ଚ୍ୟାଲେଞ୍ଜ ପାଇଁ କାର୍‌ ଚୋରିର ମାତ୍ରା ବଢ଼ିବାରେ ଲାଗିଛି। ବିଶେଷ କରି କିଆ ଏବଂ ହୁଣ୍ଡାଇ କମ୍ପାନୀର କାର୍‌ର କିଛି ମଡେଲ ଏବେ ଟାର୍ଗେଟ୍‌ରେ ଥିବା ଜଣାପଡ଼ିଛି। ଗତ ବର୍ଷ ତୁଳନାରେ ଦେଶରେ ୮୫ ପ୍ରତିଶତ କାର୍‌ ଚୋରି ଘଟଣା ବୃଦ୍ଧି ପାଇଛି। ସମାନ ଘଟଣା ସବୁ ସିକାଗୋ ସମେତ ବିଭିନ୍ନ ସ୍ଥାନରେ ଘଟିଥିବା ସିଏନ୍‌ବିସିରେ ପ୍ରକାଶ ପାଇଛି। ବର୍ତ୍ତମାନର ଟିକ୍‌ଟକ୍‌ ଚ୍ୟାଲେଞ୍ଜ କାର୍‌ ଆମେରିକାରେ କାର୍‌ ମାଲିକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚ୍ୟାଲେଞ୍ଜ ଜରିଆରେ ଯୁବକମାନେ ୟୁଏସ୍‌ବି କୋଡ୍‌ ବ୍ୟବହାର କରି ବିଶେଷ ଧରଣର କାର୍‌ ଚୋରି କରୁଥିବା କୁହାଯାଉଛି। ୨୦୧୦ରୁ ୨୦୨୧ ମଧ୍ୟରେ ଟିକ୍‌ଟକ୍‌ରେ ଏହି ଚ୍ୟାଲେଞ୍ଜର ଆଦୃତି ଲାଭ କରିଛି। କିଆ ଏବଂ ହୁଣ୍ଡାଇ କାର୍‌ଗୁଡ଼ିକୁ ମେକାନିକାଲ୍‌ ଚାବି ବ୍ୟବହାର କରି କିଶୋରମାନେ ଚୋରି କରୁଥିବାର ଦେଖିବାକୁ ମିଳିଛି। ଚ୍ୟାଲେଞ୍ଜର ନିୟମାବଳୀ ଅନୁସାରେ ଅତିକମ୍‌ ଜିନିଷ ବ୍ୟବହାର କରି କିପରି କାର୍‌ ଚୋରି କରାଯାଇ ପାରିବ ସେନେଇ ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଉଛି। ଆଖି ପିଛୁଳାକେ ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଚୋର କାର୍‌ ନେଇ ଚମ୍ପଟ ମାରୁଥିବା ପୋଲିସ କହିଛି। ହାସ୍‌ଟ୍ୟାଗ୍‌ ‘କିଆ ବଏଜ୍‌’ ଲେଖି କାର୍‌ ଚୋରି କରୁଥିବା ଯୁବକ ଚୋରି ଘଟାଇବାର ଭିଡିଓ ଟିକ୍‌ଟକ୍‌ରେ ଶେୟାର କରୁଥିବାର ନଜର ଆସିଛନ୍ତି।

Share