ନୂଆଦିଲ୍ଲୀ,୨୮।୧୦: ଦେଶରେ କଂଗ୍ରେସ ପତନର ମୁଖ୍ୟ କାରଣ ହେଉଛି ଭୋଟ ବିଭାଜନ। ଦେଶରେ ଭୋଟରଙ୍କ ବିଭାଜନକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି। ଭୋଟରଙ୍କ ସ୍ତରକୁ ଦେଖିଲେ ଜଣାପଡୁଛି ଯେ, ରାଜନୈତିକ ଦଳ ମଧ୍ୟରେ ଏକ ତୃତୀୟାଂଶରୁ ଦୁଇ ତୃତୀୟାଂଶ ମଧ୍ୟରେ ଲଢ଼େଇ ହେଉଛି।
କେବଳ ଏକ ତୃତୀୟାଂଶ ଲୋକ ଭାଜପାକୁ ଭୋଟ ଦେଉଛନ୍ତି କିମ୍ବା ସମର୍ଥନ କରିବାକୁ ଚାହୁଁଛନ୍ତି। ସମସ୍ୟା ହେଉଛି ଦୁଇ-ତୃତୀୟାଂଶ ଭୋଟରଙ୍କ ଭୋଟ ୧୦, ୧୨ ଅବା ୧୫ ରାଜନୈତିକ ଦଳ ମଧ୍ୟରେ ବିଭାଜନ ହେଉଛି। ଏହା ଦ୍ୱାରା କଂଗ୍ରେସର ଭୋଟ ପରିମାଣ ହ୍ରାସ ପାଉଛି।
ଏହା କଂଗ୍ରେସର ପତନର ଏକ ମୁଖ୍ୟ କାରଣ। ଦେଶର ୬୫ ପ୍ରତିଶତ ଭୋଟର ବିଭାଜିତ ହେଉଛନ୍ତି ତେଣୁ କଂଗ୍ରେସ ତଳକୁ ଖସି ଆସୁଛି। ଅପରପକ୍ଷରେ ପ୍ରାୟ ୩୫ ପ୍ରତିଶତ ଭୋଟ ହାତେଇବାରେ ଭାଜପା ସଫଳ ରହୁଥିବା ପ୍ରଶାନ୍ତ କହିଛନ୍ତି। ଏହାଦ୍ୱାରା କଂଗ୍ରେସର କ୍ଷମତା ବାଟରେ କଣ୍ଟା ପଡୁଛି।