ପୃଥିବୀରେ ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି କରିବା କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ସମ୍ପର୍କରେ ସଚେତନତା ଲାଗି ପ୍ରତିବର୍ଷ ଜୁନ୍ ୨୩ରେ ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ କରାଯାଇଥାଏ। ଅଲିମ୍ପିକ ଗେମ୍ସ ହେଉଛି ଏକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ। ପ୍ରତି ଚାରି ବର୍ଷରେ ଗ୍ରୀଷ୍ମ ଏବଂ ଶୀତକାଳୀନ ଅଲିମ୍ପିକ୍ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ବିଭିନ୍ନ ପ୍ରତିଯୋଗିତାରେ ପୃଥିବୀର ବିଭିନ୍ନ ଦେଶର ହଜାର ହଜାର ଆଥଲେଟ ଅଂଶଗ୍ରହଣ କରିଥାନ୍ତି।
ଲୋକଙ୍କ ଜୀବନରେ ଖେଳ ଏବଂ ଖେଳର ମହତ୍ୱକୁ ଚିହ୍ନିତ କରିବା ଏବଂ ବୟସ, ଲିଙ୍ଗ, ବର୍ଣ୍ଣ କିମ୍ବା ଧର୍ମ ର୍ନିବିଶେଷରେ ସମଗ୍ର ପୃଥିବୀର ଲୋକଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ପ୍ରୋତ୍ସାହିତ କରିବା ଅନ୍ତର୍ଜାତୀୟ ଅଲିମ୍ପିକ ଦିବସର ମୁଖ୍ୟ ଲକ୍ଷ୍ୟ। ପ୍ୟାରିସର ସୋରବୋନେ ଠାରେ ୨୩ ଜୁନ ୧୮୯୪ ରେ ଆଧୁନିକ ଅଲିମ୍ପିକ ଗେମ୍ସର ଜନ୍ମକୁ ସ୍ମରଣ କରିବା ପାଇଁ ୧୯୪୮ରେ ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ଆରମ୍ଭ କରାଯାଇଥିଲା। କ୍ରୀଡ଼ା ମାଧ୍ୟମରେ କିଭଳି ବସୁଧୈବ କୁଟୁମ୍ବକମ୍ ଉଦ୍ଦେଶ୍ୟ ପୂରଣ କରାଯିବ ତାହା ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ।