Categories: ଖେଳ

କିଏ ଜିତିବ ଆଇପିଏଲ୍‌ ୨୦୨୪? ଜାଣନ୍ତୁ ChatGPTର ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୩: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍‌ ୨୦୨୪। ମାର୍ଚ୍ଚ ୨୨ରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ଏବଂ ଆର୍‌ସିବି ମୁହାଁମୁହିଁ ହେବେ। ଏହି ମେଗା ଟୁର୍ନାମେଣ୍ଟରେ ଚଳିତ ବର୍ଷ ୧୦ ଟିମ୍‌ ଭାଗ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ବିଜେତା କିଏ ହେବ ତାହା ଫାଇନାଲ ମୁକାବିଲାରେ ସ୍ପଷ୍ଟ ହେବ। ହେଲେ ଏହାକୁ ନେଇ ଏବେଠାରୁ ଭବିଷ୍ୟବାଣୀ କରିବା ଆରମ୍ଭ ହୋଇଛି। ଏଥର ପୂର୍ବତନ କ୍ରିକେଟରଙ୍କ ସହ ଏଆଇ ମଧ୍ୟ ବିଜେତାକୁ ନେଇ ନିଜର ଦଳ ବାଛୁଛନ୍ତି।

ସାରା ବିଶ୍ୱର ଲୋକପ୍ରିୟ ଏଆଇ ପ୍ଲାଟଫର୍ମ ‘ଚାଟ୍‌ ଜିପିଟି’ ଆଇପିଏଲ ୨୦୨୪ର ବିଜେତାକୁ ନେଇ ନିଜର ମତ ଦେଇଛି। ତଦନୁଯାୟୀ ୧୭ତମ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୁହେଁ ବରଂ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ ଟୁର୍ନାମେଣ୍ଟକୁ ଜିତିବା ଦୌଡ଼ରେ ଆଗରେ ରହିବେ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ ଆଇପିଏଲ୍‌ ୨୦୨୪ ବିଷୟରେ ପଚରାଯିବାରେ ଚାଟ ଜିପିଟି କହିଛି ଯେ, ଦଳ ଏବଂ ସମଗ୍ର ସନ୍ତୁଳନ ଆଧାରରେ ଚେନ୍ନାଇ ଏବଂ ମୁମ୍ବାଇ ବ୍ୟାଟିଂ ଏବଂ ବୋଲିଂ ଉଭୟ ବିଭାଗରେ ନିଜର ଦକ୍ଷତା କାରଣରୁ ସବୁଠାରୁ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ହେଲେ ଆଇପିଏଲ୍‌ରେ କିଛି ବି କହିବା ଅସମ୍ଭବ। ଯେକୌଣସି ଟିମ୍‌ ଟୁର୍ନାମେଣ୍ଟରେ ଦୃଢ଼ ପ୍ରଦର୍ଶନ କରି ବିଜୟୀ ହୋଇପାରେ।

Share