Categories: ଖେଳ

ପୃଥ୍ବୀ ଶ’ଙ୍କ ମାମଲାର ତଦନ୍ତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ,୪ା୪(ପି.ଟି.): ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ବିରୋଧରେ ଆଗତ ଯୌନ ଶୋଷଣ ମାମଲାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପନା ଗିଲ୍‌ କ୍ରିକେଟରଙ୍କ ନାମରେ ଯୌନ ଶୋଷଣ ମାମଲା ରୁଜୁ କରିଥିଲେ। ୨୦୨୩ ମସିହାରେ ସେଲ୍‌ଫି ଉଠାଇବାକୁ କେନ୍ଦ୍ର କରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଓଶିଓ୍ବାରା ଥାନାରେ ପୃଥ୍ବୀ ମାମଲା ରୁଜୁ କରିଥିଲେ। ପରେ ସପନାଙ୍କ ସମେତ ତାଙ୍କର ୪ ଜଣ ସାଙ୍ଗଙ୍କୁ ପୋଲିସ ଗିରଫ କରିଥିଲା। ଜାମିନରେ ଆସିବା ପରେ ସପ୍‌ନା ପାଲଟା ଅଭିଯୋଗ କରିଥିଲେ। ପୃଥ୍ବୀ ଶ’ତାଙ୍କୁ ଶୋଷଣ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଶ’ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ବୁଧବାର ମାମଲାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏସ୍‌. ସି. ତାୟଡେ ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସେଲ୍‌ଫି ନେବାକୁ କେନ୍ଦ୍ର କରି ଶୋଭିତ ଠାକୁର ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପନା ଗିଲ୍‌ ଅନ୍ୟମାନଙ୍କ ସହିତ ମିଶି ପୃଥ୍ବୀଙ୍କୁ ଆକ୍ରମଣ କରିଥିଲେ। ଏକ ବେସ୍‌ ବଲ ବ୍ୟାଟରେ ଆକ୍ରମଣ କରିବା ସହିତ ଗାଡିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ସପନା ବେସ୍‌ବଲ୍‌ ବ୍ୟାଟରେ ଆକ୍ରମଣ କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସପନାଙ୍କୁ ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଗିରଫ କରାଯାଇଥିଲା। ମୁମ୍ବାଇ ବିମାନ ବନ୍ଦରର ଏକ ବିଳାସପୂର୍ଣ୍ଣ ହୋଟେଲରେ ପୃଥ୍ବୀ ରହିଥିବା ବେଳେ ଶୋଭିତ୍‌ ଠାକୁର ଏବଂ ସପନା ଗିଲ୍‌ ସେଲ୍‌ଫି ପାଇଁ ନିକଟକୁ ଆସିଥିଲେ। ସେଲ୍‌ଫି ନେବା ପରେ ମଧ୍ୟ ଉଭୟ ପୃଥ୍ବୀଙ୍କୁ ଛାଡି ନ ଥିଲେ। ହୋଟେଲ କର୍ମଚାରୀଙ୍କ ନିକଟରେ ଅଭିଯୋଗ ପରେ ଉଭୟଙ୍କୁ ବାହାର କରାଯାଇଥିଲା। ପୃଥ୍ବୀ ହୋଟେଲରୁ ବାହାରିବା ପରେ ଉଭୟ ଅନ୍ୟମାନଙ୍କ ସହିତ ମିଶି ଗାଡିକୁ ପିଛା କରିଥିଲେ। ଏକ ବେସ୍‌ ବଲ ବ୍ୟାଟରେ ଆକ୍ରମଣ କରିବା ସହିତ ଗାଡିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ପୃଥ୍ବୀଙ୍କ ସାଙ୍ଗ ଆଶିଷ ଯାଦବ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସପନା ଓ ଶୋଭିତ ଅଭିଯୋଗକୁ ଖଣ୍ଡନ କରିବା ସହିତ ପୃଥ୍ବୀ ଶ’ ନିଶାରେ ଥିଲେ ବୋଲି କହିଛନ୍ତି। ଏପରିକି ପୃଥ୍ବୀ ଶ’ କିଏ ମୁଁ ଜାଣିନି ଆଉ ମୁଁ ସେଲ୍‌ଫି ନେବାକୁ ପ୍ରୟାସ କରି ନ ଥିବା କହିଥିଲେ ସପନା ଗିଲ୍‌।

Share