Categories: ଖେଳ

ରାଜସ୍ଥାନ-ବାଙ୍ଗାଲୋର ମ୍ୟାଚ୍‌ର ଟସ୍‌ ବେଳେ ସୋଲାର ଲ୍ୟାମ୍ପ ନେଇ ପହଞ୍ଚିଲେ ମହିଳା, ଜାଣନ୍ତୁ କାରଣ?

ଜୟପୁର,୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ର ୧୯ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମୁହାଁମୁହିଁ ହେଉଛନ୍ତି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଟସ୍‌ ପକାଯିବା ସମୟରେ ଦୁଇଜଣ ଅଧିନାୟକଙ୍କ ସହ ଜଣେ ରାଜସ୍ଥାନ ପୋଷାକ ପିନ୍ଧିଥିବା ମହିଳା ନଜର ଆସିଥିଲେ। ସେ ତାଙ୍କ ହାତରେ ଏକ ସୋଲାର ଲ୍ୟାମ୍ପ ଧରିଥିଲେ। ସେ ପ୍ରଥମେ ସଞ୍ଜୁ ସାମସନଙ୍କୁ ଲ୍ୟାମ୍ପ ଧରାଇଥିଲେ। ପରେ ସେ ଏହାକୁ ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌କୁ ଦେଇଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା।

ଏହା ପଛରେ କାରଣ କ’ଣ ବୋଲି ପ୍ରଶ୍ନ ଆସିବା ସ୍ବାଭାବିକ। ତେବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାଜସ୍ଥାନରେ ମହିଳାଙ୍କ ନେତୃତ୍ୱରେ ପରିବର୍ତ୍ତନକୁ ସମର୍ଥନ କରିବାକୁ ଏକ ଅଭିଯାନ ଆରମ୍ଭ ହୋଇଛି। ତଦନୁଯାୟୀ ବାଙ୍ଗାଲୁରୁ ବିରୋଧରେ ପିଙ୍କପ୍ରୋମିସ୍‌ ମ୍ୟାଚ୍‌ ସମୟରେ ଉଭୟ ଟିମ୍‌ ଯେତିକି ଛକା ମାରିବେ, ପ୍ରତ୍ୟେକ ଛକାରେ ୬ଜଣଙ୍କ ଘରେ ସୋଲାର ପ୍ୟାନେଲ୍‌ ଦାନ କରାଯିବ। ଏହାର ଶୁଭାରମ୍ଭ କରିବାକୁ ଯାଇ ମ୍ୟାଚ୍‌ ଆରମ୍ଭରୁ ଟସ୍‌ ସମୟରେ ଜଣେ ରାଜସ୍ଥାନୀ ମହିଳା ଲ୍ୟାମ୍ପ ନେଇ ପହଞ୍ଚିଥିଲେ।

Share