କୋଲକାତା ଆଗରେ ୧୫୩ ରନ୍‌ର ଟାର୍ଗେଟ

ମୁମ୍ବାଇ,୨।୫ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମସନ(୫୪)ଙ୍କ ଅର୍ଦ୍ଧଶତକ ଯୋଗୁ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିଛି।
ଗତ ସିଜନର ଦୁଇ ଷ୍ଟାର ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟଶ ଆୟରଙ୍କ ବିନା ମ୍ୟାଚ୍‌କୁ ଓହ୍ଲାଇଥିଲା କେକେଆର୍‌। ସେମାନଙ୍କ ସ୍ଥାନରେ ଅନୁକୁଲ ରୟ ଓ ରିଙ୍କୁ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। କେକେଆର୍‌ ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ଉମେଶ ଯାଦବ। ସେ ଇନିଂସର ତୃତୀୟ ଓଭରରେ ଦେବଦତ୍ତ ପଡିକଲ (୨)ଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଅନ୍ୟତମ ଓପନର ଜୋସ ବଟଲର(୨୨)ଙ୍କ ସହ ମିଶି ଅଧିନାୟକ ସଞ୍ଜୁ ସାମସନ ଦ୍ୱିତୀୟ ଉଇକେଟ ପାଇଁ ୪୮ ରନ୍‌ ଯୋଡ଼ିଥିଲେ। ହେଲେ କୋଲକାତାର ବୋଲରମାନେ ସେମାନଙ୍କୁ କଦାପି ହାତ ଖୋଲି ଖେଳିବାକୁ ସୁଯୋଗ ଦେଇ ନ ଥିଲେ। ତା’ ପରେ ଛକା ମାରିବାକୁ ଯାଇ ବଟଲରଙ୍କ ଭଳି ବାଉଣ୍ଡ୍ରି ପାଖରେ କରୁନ ନାୟର (୧୩), ରିୟାନ ପରାଗ (୧୯) ଓ ଅଧିନାୟକ ସାମସନ ଧରାପଡ଼ିଥିଲେ। ସାମସନ ଆଉଟ୍‌ ହେବା ପୂର୍ବରୁ ୪୯ ବଲରେ ୫୪ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତାଙ୍କ ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ତିମ ଦୁଇ ଓଭରରେ ଶିମରନ ହେଟମାୟର ୨୭ (୧ ଚୌକା ଓ ୨ ଛକା) ରନ୍‌ କରିବାରୁ ରାଜସ୍ଥାନ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କୋଲକାତା ପକ୍ଷରୁ ବୋଲିଂରେ ଟିମ୍‌ ସୌଦି ୨ ଉଇକେଟ ନେଇଥିବା ବେଳେ ଉମେଶ, ଅନୁକୁଳ ଓ ଶିବମ ମାଭି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ରାଜସ୍ଥାନ ରୟାଲ୍ସ: ୨୦ ଓଭରରେ ୧୫୨/୫(ସଞ୍ଜୁ ସାମସନ-୫୪, ଶିମରନ ହେଟମାୟର-୨୭*, ଟିମ୍‌ ସୌଦି-୨/୪୬, ଉମେଶ ଯାଦବ-୧/୨୪ )।

Share