ଭୁବନେଶ୍ୱର,୨୦।୧(ବ୍ୟୁରୋ): ହକି ବିଶ୍ୱକପ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ ଓଡ଼ିିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୁରୁବାର ମ୍ୟାଚ ଦେଖିଥିଲେ । ଶୁକ୍ରବାର ଷ୍ଟାଲିନ ନିଜ ଟିମ୍ ସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ଏହି ଅବସରରେ ସେ ନିଳାଦ୍ରୀବିହାରସ୍ଥିତ ଇଶାଣେଶ୍ୱର ବିଜୁ ଆଦର୍ଶ କଲୋନୀ ଗସ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ଜରିଆରେ ପାଣି ପିଇଥିଲେ। ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଗସ୍ତ ଶେଷ କରି ମନ୍ତ୍ରୀ ଷ୍ଟାଲିନ ତାଙ୍କ ଟିମ୍ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି ।