Categories: ଖେଳ

୨୭ ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧।୧୦(ବିଜୟ ରଣା): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ ଚାମ୍ପିୟନଶିପ୍‌ରେ ସଫଳତା ହାସଲ କରିଥିବା ୨୭ ଜଣ ଆଥ୍‌ଲେଟଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି। ମୋଟ ପୁରସ୍କାର ରାଶିର ପରିମାଣ ହେଉଛି ୧୨,୩୦,୦୦୦ ଟଙ୍କା। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗର୍ବ ଅମିତ କୁମାର ଭୂୟାଁଙ୍କୁ ୩.୭୫ ଲକ୍ଷ ଟଙ୍କା ପୁରସ୍କାର ସହ ସମ୍ବର୍ଦ୍ଧିତ କରିଥିଲେ। ୨୦୨୩ରେ ଅନୁଷ୍ଠିତ ୫୫ତମ ଏସିଆନ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଚାମ୍ପିୟନଶିପ୍‌ରେ ରାଜ୍ୟର ଅନ୍ୟଜଣେ ପ୍ରତିଭାବାନ ଆଥ୍‌ଲେଟ ଜଗନ୍ନାଥ ଖୁଣ୍ଟିଆ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ତାଙ୍କୁ ୧.୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସ୍ପେଶାଲ ଅଲିମ୍ପିକ୍ସ ଭାରତ ନ୍ୟାଶନାଲ ଚାମ୍ପିୟନଶିପ୍‌, ୨୦୨୩ର ୩ ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ୫କିମି ଟାଇମ୍‌ ଇଭେଣ୍ଟ ଏବଂ ୧୦କିମି ରୋଡ୍‌ ରେସ୍‌ ଇଭେଣ୍ଟରେ ୩ୟ ସ୍ଥାନ ଅଧିକାର କରିଥିବା ସାଇକ୍ଲିଷ୍ଟ ସିଦ୍ଧାର୍ଥ ମହାନ୍ତିଙ୍କୁ ୧୦,୦୦୦ ଟଙ୍କା ମିଳିଥିବା ବେଳେ ୫ କିମି ଟାଇମ ଇଭେଣ୍ଟରେ ୩ୟ ସ୍ଥାନ ପାଇଁ ସାଇକ୍ଲିଷ୍ଟ ଦେବାଶିଷଙ୍କୁ ମଧ୍ୟ ୧୦,୦୦୦ ଟଙ୍କା ମିଳିଥିଲା। ୨ କିମି ଟାଇମ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ରୋଲର ସ୍କେଟର ଦଧିଚି ଉଭୟ ୧୦୦୦ ମିଟର ଓ ୫୦୦ମିଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପ୍ରତ୍ୟେକ ସଫଳତା ପାଇଁ ୨୦,୦୦୦ ଟଙ୍କା ଲେଖାଏ ଆର୍ଥତ୍କ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି କାୟାକିଙ୍ଗ ଓ କାନୋଇଂ ସିନିୟର ନ୍ୟାଶନାଲ କାନୋଇ ସ୍ପ୍ରିଣ୍ଟ ଚାମ୍ପିୟନଶିପ୍‌ ୨୦୨୩ ସମେତ ବିଭିନ୍ନ ଇଭେଣ୍ଟରେ ସଫଳତା ଅର୍ଜନ କରିଥିବା ୨୨ ଆଥ୍‌ଲେଟଙ୍କ ମଧ୍ୟରେ ମୋଟ ୬,୩୦,୦୦୦ ଟଙ୍କା ବାଣ୍ଟି ଦିଆଯାଇଥିଲା। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସଫଳତା ଅର୍ଜନ କରିଥିବା ଏହି ଆଥ୍‌ଲେଟମାନଙ୍କର ଶୁଭକାମନା କରିବା ସହ ଆଗକୁ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିବାକୁ କହିଥିଲେ। ରାଜ୍ୟରେ ବିଭିନ୍ନ ଖେଳର ପ୍ରଚାର ଓ ପ୍ରସାର ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରୁତବଦ୍ଧ ବୋଲି ସେ କହିଥିଲେ।

Share