Categories: ଖେଳ

ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧୭।୧୦ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ ଗେମ୍ସର ପୁରୁଷ ଜାଭେଲିନ୍‌ ଥ୍ରୋରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଶାର କିଶୋର ଜେନାଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି ରୌପ୍ୟ ପଦକ ହାସଲ କରିବା ସହ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏସିଆନ ଗେମ୍ସରେ ତାଙ୍କଠାରୁ କେବଳ ଅନ୍ୟତମ ଭାରତୀୟ ନିରଜ ଚୋପ୍ରା ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ପାଇଥିଲେ। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସସ୍ଥିତ ଟେନିସ ସେଣ୍ଟରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ହକି ପ୍ରମୋଶନ କାଉନସିଲ ଚେୟାରମ୍ୟାନ ଦିଲୀପ ତିର୍କୀ, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ଓ ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀ, କୋଚ୍‌ ଓ ଆଥଲେଟମାନେ ଉପସ୍ଥିତ ଥିଲେ। ନିଜର କଠିନ ପରିଶ୍ରମ ଦ୍ୱାରା କିଶୋର ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏବଂ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସେ ଭାରତ ଏବଂ ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବେ ବୋଲି ତୁଷାରକାନ୍ତି ଆଶାପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ କିଶୋରଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଛନ୍ତି।

Share