Categories: ଖେଳ

ଏହି ଆଥ୍‌ଲେଟଙ୍କୁ ମିଳିବ ବିଦେଶରେ ଟ୍ରେନିଂ: ସମସ୍ତ ଖର୍ଚ୍ଚ ବହନ କରିବ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ା୧: ଯୁକ୍ତରାଷ୍ଟ୍ର ଆମେରିକାର କଲୋରାଡୋଠାରେ ଟ୍ରେନିଂ ନେବା ଲାଗି ଲଙ୍ଗ୍‌ ଡିଷ୍ଟାନ୍ସ ରନର ଅବିନାଶ ସାବ୍‌ଲେ ଓ ପାରୁଲ ଚୌଧାରୀଙ୍କ ଅନୁରୋଧ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସୋମବାର ମଞ୍ଜୁରୀ ଲାଭ କରିଛି। ସରକାର ଆହୁରି ମଧ୍ୟ ଅଂଶୁ ମଲିକ ଓ ସରିତା ମୋର୍‌ଙ୍କୁ ଯଥାକ୍ରମେ ଜାପାନ ଓ ୟୁଏସ୍‌ଏରେ ଟ୍ରେନିଂ ନେବାକୁ ଅନୁମତି ଦେଇଛି।

ସାବ୍‌ଲେ ଓ ଚୌଧାରୀ କୋଚ୍‌ ସ୍କଟ ସିମନ୍ସଙ୍କ ଅଧୀନରେ କଲୋରାଡୋ ସ୍ପ୍ରିଙ୍ଗ୍ସସ୍ଥିତ ସମୁଦ୍ରପତନଠାରୁ ବହୁ ଉଚ୍ଚରେ ରହିଥିବା ସେଣ୍ଟରରେ ଟ୍ରେନିଂ ନେବେ। ଅନ୍ୟପକ୍ଷରେ ମୋର୍‌ ୟୁନାଇଟେଡ ଷ୍ଟେଟ୍ସ ଅଲିମ୍ପିକ/ପାରାଲିମ୍ପିକ ଟ୍ରେନିଂ ସେଣ୍ଟରକୁ ଗସ୍ତ କରିବେ, ଯେଉଁଠାରେ କି ବହୁ ଟପ୍‌ ରେସ୍‌ଲରଙ୍କ ଟ୍ରେନିଂ ସ୍ଥଳ।

ତନ୍ମଧ୍ୟରେ କେତେଜଣ ଅଲିମ୍ପିକ ପଦକ ବିଜେତା ଅଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଅଂଶୁ କାନାଙ୍ଗାଓ୍ବା ଗସ୍ତ କରିବେ। ସେଠାରେ ୟୋକୋହାମାସ୍ଥିତ ନିପ୍ପନ ସ୍ପୋଟର୍‌ସ ସାଇନ୍ସ ୟୁନିଭର୍ସିଟି (ଏନ୍‌ଏସ୍‌ଏସ୍‌ୟୁ)ଠାରେ ସେ ଟ୍ରେନିଂ ନେବେ। ଏହି ସେଣ୍ଟର ଜାପାନର ଅନେକ ଟପ୍‌ କୁସ୍ତିଯୋଦ୍ଧା ସୃଷ୍ଟି କରିଛି।

ସେହିପରି ଟେବୁଲ ଟେନିସ ଖେଳାଳି ପାୟସ ଜୈନ ଜାପାନର ଓସାକା ଗସ୍ତ କରିବେ। ସେଠାରେ ସେ କୋଚ୍‌ କ୍ୱିୟୁ ଜିଆନ୍‌ଙ୍କ ଅଧୀନରେ ଟ୍ରେନିଂ ନେବେ। ମନ୍ତ୍ରଣାଳୟ ସମସ୍ତ ଖର୍ଚ୍ଚ ବହନ କରିବ। ମନ୍ତ୍ରଣାଳୟ ଏହାର ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମ୍‌ (ଟପ୍ସ) ଅଧୀନରେ ଆଥ୍‌ଲେଟମାନଙ୍କୁ, ସେମାନଙ୍କ କୋଚ୍‌ ଓ ଫିଜିଓଥେରାପିଷ୍ଟଙ୍କ ବିମାନଯାତ୍ରା, ଖାଦ୍ୟ ଓ ରହଣି ସମେତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଇ ଦେବ। ଇଣ୍ଟରନ୍ୟାଶନାଲ ଟ୍ରେନିଂ ବ୍ୟତୀତ ମନ୍ତ୍ରଣାଳୟ ଭାରତୀୟ ପାରା-ଆର୍ଚର ଶୀତଳ ଦେବୀ, ସରିତା ଓ ରାକେଶ କୁମାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି।

Share