ହାବଭାବ ଦେଖି ପାକିସ୍ତାନ ଛାନିଆ! ୯୦ ମିନିଟ୍‌ ଆଗରୁ ନେଟ୍ସରେ ପହଞ୍ଚି ଚମକାଇଲେ କିଙ୍ଗ୍‌ କୋହଲି

ଦୁବାଇ,୨୨।୨: କଥାରେ ଅଛି ଯଦି ତୁମେ କିଛି କରିବା ଲାଗି ନିଶ୍ଚିତ କରିନିଅ ତେବେ କିଛି ବି କଷ୍ଟକର ନୁହେଁ। ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ମଧ୍ୟ ପାକିସ୍ତାନକୁ ପରାସ୍ତ କରିବାକୁ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି। ମ୍ୟାଚ୍‌ ପୂର୍ବରୁ ତାଙ୍କର ହାବଭାବରୁ ଏହା ସ୍ପଷ୍ଟ ହେଉଛି। ପାକିସ୍ତାନ ବିପକ୍ଷ ବଡ଼ ମୁକାବିଲା ପୂର୍ବରୁ କୋହଲି ଦଳର ଅନ୍ୟ ଖେଳାଳିମାନଙ୍କଠାରୁ ୯୦ ମିନିଟ ପୂର୍ବରୁ ନେଟ୍ସରେ ଅଭ୍ୟାସ କରିବାକୁ ପହଞ୍ଚିଯାଇଥିଲେ। ସେଠାରେ ସେ ପ୍ରଥମେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ।

ବିରାଟ ଦଳର ଦୁଇ ଜଣସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଏକ ଭ୍ୟାନ୍‌ରେ ଦୁବାଇ ଷ୍ଟାଡିୟମରେ ପହଞ୍ଚିଥିଲେ, ଯେଉଁଠାରେ ସେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ। ଏହି ସମୟରେସେ ନେଟ୍ସରେ UAEର ସ୍ଥାନୀୟ ବୋଲରଙ୍କ ବିପକ୍ଷରେ ଖେଳିଥିଲେ। କୋହଲି ସର୍ବଦା କିପରି ତାଙ୍କ ଦଳକୁ ମ୍ୟାଚ୍‌ ଜିତାଇପାରିବେ ସେନେଇ ଚିନ୍ତା କରନ୍ତି। ଦୁବାଇରେ କୋହଲିଙ୍କ ଅଭ୍ୟାସ ସମୟରେ ସମାନ ଚିନ୍ତାଧାରାର ଏକ ଝଲକ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ସାଥୀ ଖେଳାଳିମାନଙ୍କଠାରୁ ଦେଢ଼ ଘଣ୍ଟା ପୂର୍ବରୁ ନେଟରେ ପ୍ରବେଶ କରିଥିଲେ।

ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲି ୨୨ ରନ୍‌ରୁ ଅଧିକ ସ୍କୋର କରିପାରି ନଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷ ଆଗାମୀ ମ୍ୟାଚ୍‌ରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି। କାରଣ ଅତୀତରେ ଯେବେ ବି ସେ ଖେଳିଛନ୍ତି ତାଙ୍କର ମନୋଭାବ ବଦଳିଯିବା ନଜିର ରହିଛି। ଏହି କାରଣରୁ ସେ ବର୍ତ୍ତମାନ ICC ODI ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ଅଟନ୍ତି। ସେ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ICC ODI ମ୍ୟାଚ୍‌ରେ ୫୫ ରୁ ଅଧିକ ହାରରେ ୩୩୩ ରନ କରିଛନ୍ତି।

ଫେବୃଆରୀ ୨୩ ତାରିଖରେ ଦୁବାଇରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରର ମୁହାଁମୁହିଁ ହେବେ, ବିରାଟ କୋହଲି ମଧ୍ୟ ଦୁଇଟି ଉପଲବ୍ଧି ପାଇଁ ଲକ୍ଷ୍ୟ ରଖିବେ। ପ୍ରଥମତଃ ସେ ୧୪୦୦୦ ଦିନିକିଆ ରନ ପୂରଣ କରିପାରନ୍ତି ଏବଂ ଦ୍ୱିତୀୟତଃ ସେ ପାକିସ୍ତାନ ବିପକ୍ଷରେ ଆଇସିସି ଦିନିକିଆ ଟୁର୍ନାମେଣ୍ଟରେ ସ୍କୋର୍‌ ମାମଲାରେ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇପାରନ୍ତି। କିନ୍ତୁ ସର୍ବୋପରି ପାକିସ୍ତାନକୁ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିବା ତାଙ୍କର ଉଦ୍ଦେଶ୍ୟ ରହିବ। ଏହି କାରଣରୁ ସେ ତାଙ୍କ ଅନ୍ୟ ସାଥୀ ଖେଳାଳିମାନଙ୍କଠାରୁ ୯୦ ମିନିଟ ପୂର୍ବରୁ ଅଭ୍ୟାସ କରିବାକୁ ଯାଇଥିବା କୁହାଯାଉଛି।