ନୂଆଦିଲ୍ଲୀ,୨୨।୧: କ୍ରିକେଟଜଗତରେ ବିରାଟ କୋହଲି ଏକ ବଡ଼ ନାମ। ହେଲେ ସେ ଏବେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ସେ ବିବାଦରେ ଫସିଛନ୍ତି। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ଯବାନଙ୍କ ସହ ସେଲ୍ଫି ନେବାକୁ ମନା କରିଦେଉଛନ୍ତି। ଏହାକୁ ନେଇ ଅନେକେ ପ୍ରତିକ୍ରିୟା ରଖୁଛନ୍ତି। ଯିଏ ଦିନ ରାତି ଆମର, ଦେଶର ସୁରକ୍ଷା ଲାଗି ନିଜ ଜୀବନକୁ ବାଜି ଲଗାଇଛନ୍ତି, ତାଙ୍କ ସହ ସାମାନ୍ୟ ସେଲ୍ଫି ଉଠାଇଥାନ୍ତେ, କ’ଣ ଅସୁବିଧା ହୋଇଥାନ୍ତା। ଏପରିକି ତାଙ୍କୁ କିଛି ରୋହିତ ଶର୍ମାଙ୍କଠାରୁ ଶିଖିବାର ଆବଶ୍ୟକତା ଥିବା ଅନେକେ କହୁଛନ୍ତି।
କୋହଲିଙ୍କ ଭାଇରାଲ ଭିଡିଓଟି ମୁମ୍ବାଇର। ଏଠାରେ ସେ ଗାଡ଼ିରୁ ଓହ୍ଲାଇ କିଛି ବାଟ ଚାଲୁଥିବା ଦେଖାଯାଉଛି। ସେ ଏକ ସ୍ଥାନରେ ଅଟକି ଥିବା ବେଳେ ସେଠାରେ ଛିଡ଼ା ହୋଇଥିବା ଜଣେ ଯବାନ ନିଜର ଫୋନ୍ ବାହାର କରି ସେଲ୍ଫି ନେବାକୁ ଅନୁରୋଧ କରୁଛନ୍ତି। ହେଲେ ବିରାଟ ହାତରେ ଠାରି ତାଙ୍କୁ ମନା କରିଦେଉଛନ୍ତି।
ଭିଡିଓଟି ଯେଉଁ ଦିନ ଭାଇରାଲ ହୋଇଥିଲା, ସେହି ଦିନ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଫଟୋରେ ରୋହିତ ଜଣେ ସେନା ଅଫିସରଙ୍କ ସହ ନଜର ଆସିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ସେନା ଅଫିସରଙ୍କ ଅନୁରୋଧକ୍ରମେ ସେ ଫଟୋ ଉଠାଇଥିବେ। ହେଲେ କୋହଲି ସେଭଳି ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଏହା କୋହଲିଙ୍କୁ ଶିଖିବା ଉଚିତ ବୋଲି ପ୍ରଶଂସକ କହୁଛନ୍ତି।