ଅନ୍ଧାରରେ କ୍ରୀଡ଼ାବିତ୍‌ ଦୀନବନ୍ଧୁଙ୍କ ଭାଗ୍ୟ

ବ୍ରହ୍ମପୁର,୧୧ା୪ (ତନୁଶ୍ରୀ ନାହାକ)କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେବା ସହ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ତଥାପି କ୍ରୀଡ଼ାବିତ୍‌ମାନେ ଉପଯୁକ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ମୁଖ୍ୟ କାରଣ କେତେବେଳେ ନିଜ ଅଞ୍ଚଳରେ କ୍ରୀଡ଼ାଭ୍ୟାସ ପାଇଁ ଭିତ୍ତିଭୂମି ଅଭାବ ତ ପୁଣି କେତେବେଳେ କ୍ରୀଡ଼ାକ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଓ ଅଭ୍ୟାସ ନିମନ୍ତେ ପ୍ରଶିକ୍ଷକ ନ ଥିବାରୁ ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କ ଆଗ୍ରହ ଅନ୍ଧାରକୁ ଠେଲି ହୋଇଯାଉଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର କ୍ରୀଡ଼ାବିତ୍‌ ଦୀନବନ୍ଧୁ ଷଡ଼ଙ୍ଗୀ(୨୧)ଙ୍କ କ୍ଷେତ୍ରରେ ଏଭଳି ଦେଖାଯାଇଛି। ଜଣେ ସଫଳ କ୍ରୀଡ଼ାବିତ ଭାବେ ଜାତୀୟ ଓ ଅନାର୍ଜାତୀୟସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ହେଉଛି ତାଙ୍କ ସ୍ବପ୍ନ। ଶଟଫୁଟ କ୍ରୀଡାରେ ଜିଲାରେ ତାଙ୍କର ନାଁ ରହିଛି। ଏଥିସହ ଦୌଡ, କବାଡି, ଖୋ ଖୋ, ଭରୋତ୍ତୋଳନ କ୍ଷେତ୍ରରେ ମଧ୍ୟ ସେ ପାରଙ୍ଗମ। ହେଲେ ଉପଯୁକ୍ତ ତାଲିମ ପାଇପାରୁ ନ ଥିବାରୁ ନିରାଶ ହୋଇଛନ୍ତି। ନୂଆପଡ଼ା ଗ୍ରାମର ସଦାନନ୍ଦ ଦାସ ଓ ସୁବର୍ଣ୍ଣମାଳା ଦାସଙ୍କ ସାନପୁଅ ଦୀନବନ୍ଧୁ ବର୍ତ୍ତମାନ ବ୍ରହ୍ମପୁର ସରକାରୀ ପଲିଟେକନିକରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର। ଗରିବ ପରିବାରରୁ ହୋଇଥିଲେ ମଧ୍ୟ ଆଗ୍ରହ ଥିବାରୁ କ୍ରୀଡ଼ାକ୍ଷେତ୍ରରେ ସେ ଯଥାସମ୍ଭବ ସଂଘର୍ଷ ଜାରି ରଖିଛନ୍ତି। ଲଗାତାର ଭାବେ ୨୦୨୧ରୁ ସେ ଶଟଫୁଟରେ ଜିଲାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିି ଆସୁଥିବା ବେଳେ ରାଜ୍ୟସ୍ତରରେ ୪ର୍ଥ ସ୍ଥାନ ହାସଲ କରିଥିଲେ। ଦୀନବନ୍ଧୁ ୨୦୨୧ ଆଞ୍ଚଳିକ କ୍ରୀଡ଼ା ସମାରୋହରେ ଜିଲାରେ ପ୍ରଥମ, ୨୦୨୨ରେ ଇଞ୍ଜିିନିୟରିଂ ସ୍କୁଲ ଖେଳପଡ଼ିଆରେ ହୋଇଥିବା ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଏବଂ ଗତବର୍ଷ ହୋଇଥିବା ଜିଲାସ୍ତରୀୟ ପଲିଫେଷ୍ଟରେ ପ୍ରଥମ ଓ ଗତ ଡିସେମ୍ବର ଶେଷ ସପ୍ତାହରେ ହୋଇଥିବା ଦକ୍ଷିଣାଞ୍ଚଳ ଜୋନସ୍ତରୀୟ ପଲିଫେଷ୍ଟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଏ ଯାଏ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଶଟଫୁଟ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ନିଜସ୍ବ ପ୍ରଚେଷ୍ଟାରେ ସେ ଏସବୁ ସଫଳତା ପାଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁରରେ ଶଟଫୁଟ ଓ ଡିସକସ ଥ୍ରୋ ଅଭ୍ୟାସ ନିମନ୍ତେ ପଡ଼ିଆ ଅଭାବ ରହିଛି। ଏହି ଖେଳରେ ଉନ୍ନତମାନର ଜ୍ଞାନକୌଶଳ ପ୍ରଦାନ ନିମନ୍ତେ ଜିଲାରେ ଜଣେ ମଧ୍ୟ କୋଚ ନାହାନ୍ତି। ତେଣୁ ଆବଶ୍ୟକ ସମୟରେ ରାଜ୍ୟସ୍ତରୀୟ କୋଚ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଛି ପରାମର୍ଶ ନିଏ ବୋଲି ଦୀନବନ୍ଧୁ କହିଛନ୍ତି। ଏହା ବ୍ୟତୀତ କ୍ରୀଡ଼ା କ୍ଷେତ୍ରରେ କୌଣସି ପ୍ରକାର ସହଯୋଗ କିମ୍ବା ସହାୟତା ମିଳିନାହିଁ। ସରକାର ସହଯୋଗ କଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପଦକ ଓ ସୁନାମ ଆଣିପାରନ୍ତେ ବୋଲି ସେ କହିଛନ୍ତି।

Share