ସରକାରୀ ଆଇଟିଆଇରେ ସ୍ପଟ ଆଡ୍‌ମିଶନ ଆରମ୍ଭ

କଟକ ଅଫିସ,୨୫।୯: ୪୯ଟି ସରକାରୀ ଆଇଟିଆଇ ଓ ୪୫୫ଟି ବେସରକାରୀ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଡିଜିଟି ନିର୍ଦ୍ଦେଶନାମା ମୁତାବକ ଆଇଟିଆଇ ନାମଲେଖା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସରିବ। ୪୯ଟି ସରକାରୀ ଆଇଟିଆଇରେ ପ୍ରଥମ ପର୍ଯ୍ୟାୟରେ ଶତକଡା ୫୦ ପ୍ରତିଶତ ସିଟ ପୂରଣ ହୋଇପାରି ନ ଥିଲା। ଏଥିପାଇଁ ଗୁରୁବାରଠାରୁ ସ୍ପଟ ଆଡ୍‌ମିଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏସ୍‌ଟି,ଏସ୍‌ସି ଓ ବାଳିକା ବର୍ଗଙ୍କ ନାମଲେଖା ଆରମ୍ଭ ହୋଇଛି। ଆଡମିଶନ ପାଇଁ ଭିଡ ଦେଖିବାକୁ ମିଳିଛି। ସମସ୍ତ ଆଇଟିଆଇରେ ସାମାଜିକ ଦୂରତା ନିୟମ ପାଳନ କରାଯାଇ ନାମଲେଖା ଚାଲିଛି। ଆସନ୍ତା ୨୫ରେ ବାଳକ ଓ ସାଧାରଣ ବର୍ଗଙ୍କ ନାମଲେଖା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଖାଲି ଥିବା ସ୍ଥାନ ଅଣସଂରକ୍ଷିତ ଭାବେ ପୂରଣ କରାଯିବାର ବ୍ୟବସ୍ଥା ହୋଇଛି। ସ୍ପଟ ଆଡ୍‌ମିଶନର ପ୍ରଥମ ଦିନରେ ୨୪୩୫ ଜଣ ନାମ ଲେଖାଇଛନ୍ତି। ରାଜ୍ୟର ସରକାରୀ ଆଇଟିଆଇଗୁଡ଼ିକରେ ମୋଟ ୧୮୩୯୦ ସିଟ ଥିବାବେଳେ ଏବେ ସୁଦ୍ଧା ୧୧୭୦୨ ସିଟ ପୂରଣ ହୋଇଛି। ଆଧୁନିକ ଯନ୍ତ୍ରପାତି ବିଶିଷ୍ଟ କର୍ମଶାଳା, ମାଗଣା ୟୁନିଫର୍ମ ଓ ସୁଦକ୍ଷା, ପ୍ରେରଣା, ନିର୍ମାଣ କୁସୁମ, ବାଣିଶ୍ରୀ ପରି ମଙ୍ଗଳ ଯୋଜନା ତଥା ଜୀବନ ଦକ୍ଷତା ତାଲିମ ରହିଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ର ଆକୃଷ୍ଟ ହେଉଥିବା ଡିଜିଟିର ଏମ୍‌ପିପି ଡେପୁଟି ଡାଇରେକ୍ଟର ଅଜୟ କୁମାର ପଣ୍ଡା କହିଛନ୍ତି।

Share