Categories: ଫୁରସତ

ଦାଗହୀନ ବିରଳ ଜିରାଫ

ନାସଭିଲେ: ଜିରାଫ କହିଲେ ଆମେ ଲମ୍ବା ବେକ ସହ ଦେହରେ ଛୋଟ ଛୋଟ ଦାଗ ଥିବା ଜନ୍ତୁକୁ ବୁଝିଥାଉ। ହେଲେ ନିକଟରେ ଏପରି ଏକ ଜିରାଫ ଜନ୍ମ ହୋଇଛି, ଯାହା ଦୁନିଆର ସବୁଠୁ ବିରଳ ଜିରାଫ। ତା’ ଦେହରେ ଜିରାଫଙ୍କ ଭଳି କୌଣସି ଦାଗ ନାହିଁ। ଟେନେସିଇ ଲାଇମଷ୍ଟୋନର ବ୍ରାଇଟ୍ସ ପ୍ରାଣୀ ଉଦ୍ୟାନରେ ଗତ ଜୁଲାଇ ୩୧ରେ ଏପରି ଏକ ମାଈ ଜିରାଫ ଜନ୍ମ ହୋଇଛି। ତା’ର ରଙ୍ଗ ମାଟିଆ ହୋଇଥିବାବେଳେ ତା’ ଦେହରେ କୌଣସି ଦାଗ ନାହିଁ; ଯାହା ଦୁନିଆର ଏକମାତ୍ର ଗୋଟିଏ ରଙ୍ଗ ବିଶିଷ୍ଟ ଜିରାଫ। ନବଜାତ ଜିରାଫଟି ରେଟିକ୍ୟୁଲେଟଡ୍‌ ଜିରାଫ, ଏକ ବିଲୁପ୍ତ ପ୍ରଜାତି। ଯାହା ୨୦୧୮ରେ ପ୍ରକୃତି ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ (ଆଇୟୁସିଏନ୍‌)ର ରେଡ୍‌ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଗତ ୩ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ବଣୁଆ ଜିରାଫଙ୍କ ସଂଖ୍ୟା ହଜିଯିବା ସହ ବନ୍ୟ ଜିରାଫଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି ବୋଲି ବ୍ରାଇଟ୍ସ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠାତା ଟୋନି ବ୍ରାଇଟ୍‌ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି। ଏହି ବିରଳ ମାଈ ଜିରାଫର ନାମକରଣ ପାଇଁ ସୋସିଆଲ ମିଡିଆରେ ଅନୁରୋଧ କରାଯାଇଛି। ଯେଉଁମାନଙ୍କ ଦେହରେ ଗୋଟିଏ ରଙ୍ଗ(ମାଟିଆ)ର ଦାଗ ସମଗ୍ର ଶରୀରରେ ରହିଥିବ, ସେମାନଙ୍କ ପ୍ରଜାତିକୁ ରେଟିକ୍ୟୁଲେଟଡ୍‌ ଜିରାଫ କୁହାଯାଏ।

Share