Categories: ଖେଳ

ସ୍ପୋଟର୍‌ସ ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର, ୨୭।୪ (କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ର ୬ଷ୍ଠ ସଂସ୍କରଣ ବୁଧବାରଠାରୁ ଗୁଜରାଟର ୩ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୨ଟି ଦଳ ଭାଗ ନେଉଥିବାବେଳେ ପ୍ରଥମ ଦିବସରେ ସ୍ପୋଟର୍‌ସ ଓଡ଼ିଶା ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ଏଫ୍‌ସି ଗୁରୁବାରଠାରୁ ଏହାର ଅଭିଯାନ ଆରମ୍ଭ କରିବ। ଶାହିବାଗ୍‌ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍‌ ‘ଏ’ ମ୍ୟାଚରେ ସ୍ପୋଟର୍‌ସ ଓଡ଼ିଶା ୩-୨ ଗୋଲରେ ଦିଲ୍ଲୀର ହୋପ୍ସ ଫୁଟବଲ କ୍ଲବକୁ ପରାସ୍ତ କରିଛି। ଫଳରେ ଓଡ଼ିଶା ଦଳକୁ ୩ ପଏଣ୍ଟ ମିଳିଛି। ସଂଘର୍ଷପୂର୍ଣ୍ଣ ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବେଶ୍‌ ରୋଚକ ହୋଇଥିଲା। ୫୧ତମ ମିନିଟରେ ରେଖା ପୌଦେଲ ଏକ ଗୋଲ ଦେଇ ଓଡ଼ିଶା ଦଳକୁ ଅଗ୍ରଣୀ କରିଥିଲେ। ୫୮ତମ ମିନିଟରେ ମନୀଷା ନାଏକ ଆଉ ଏକ ଗୋଲ ସ୍କୋର କରି ଅଗ୍ରଣୀ ବ୍ୟବଧାକୁ ୨-୦ରେ ପହଞ୍ଚାଇଥିଲେ। ପଛୁଆ ରହିବାପରେ କାଉଣ୍ଟର ଆଟାକ୍‌ କରି ସଫଳ ହୋଇଥିଲା ହୋପ୍ସ ଫୁଟବଲ କ୍ଲବ। ୭୪ତମ ମିନିଟରେ ଶୈଳଜା ଗୋଟିଏ ଗୋଲ ପରିଶୋଧ କରିଥିଲେ। ୮୧ତମ ମିନିଟରେ ରଜନୀ ବାଲା ଆଉ ଏକ ଗୋଲ ଦେବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ୯୦ ମିନିଟ ମଧ୍ୟରେ ଖେଳ ବରାବର ସ୍ଥିତିରେ ରହିବାପରେ ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୯୦+୫ ମିନିଟରେ ଅଞ୍ଜୁ ଏକ ଗୋଲ ଦେଇ ସ୍ପୋଟର୍‌ସ ଓଡ଼ିଶାକୁ ବିଜୟୀ କରିଥିଲେ। ସ୍ପୋଟର୍‌ସ ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ଗୋକୁଳମ୍‌ କେରଳ ଏଫ୍‌ସି ସହିତ ଖେଳିବ।
ପ୍ରଥମ ଦିବସରେ ଅନୁଷ୍ଠିତ ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଟ୍ରାନ୍ସଷ୍ଟାଡିଆରେ ଗୋକୁଳମ୍‌ କେରଳ ୮-୨ ଗୋଲରେ ଇଷ୍ଟବେଙ୍ଗଲ ଏଫ୍‌ସିକୁ ଏବଂ ମିସାକା ୟୁନାଇଟେଡ ଏଫ୍‌ସି ୨-୦ରେ ମାତା ରୁକ୍ମଣୀ ଫୁଟବଲ କ୍ଲବକୁ ପରାସ୍ତ କରିଛି। ସେହିପରି ଶାହିବାଗ୍‌ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ମୁମ୍ବାଇ ନାଇଟ୍ସ ଏଫ୍‌ସି ୧-୦ ଗୋଲରେ କାହାଣୀ ଫୁଟବଲ କ୍ଲବକୁ ହରାଇ ଦେଇଛି।

Share