Categories: ଖେଳ

ସ୍ପୋର୍ଟସ୍‌ ଓଡ଼ିଶାର ଚତୁର୍ଥ ବିଜୟ

ଅହମଦାବାଦ, ୧୦।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସ୍ପୋର୍ଟସ୍‌ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୨-୧ ଗୋଲରେ ଇଷ୍ଟବେଙ୍ଗଲ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। କଡ଼ା ଟକ୍କର ସତ୍ତ୍ୱେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ମ୍ୟାଚର ୬୦ତମ ମିନିଟରେ ଏକ ଗୋଲ ଦେଇ ରେଖା ପୌଦେଲ ସ୍ପୋର୍ଟସ୍‌ ଓଡ଼ିଶାକୁ ଅଗ୍ରଣୀ କରିଥିଲେ। ମାତ୍ର ଏହାର ୩ ମିନିଟ ପରେ ଇଷ୍ଟ ବେଙ୍ଗଲ୍ର ମୌସମୀ ମୁର୍ମୁ ଗୋଲଟି ପରିଶୋଧ କରିଦେବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ମ୍ୟାଚଟି ଡ୍ର’ ଆଡ଼କୁ ମୁହାଁଉଥିବାବେଳେ ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୯୦+୪ ମିନିଟରେ ରିତୁ ଦେବୀ ଏକ ଗୋଲ ସ୍କୋର କରି ସ୍ପୋର୍ଟସ୍‌  ଓଡ଼ିଶାକୁ ବିଜୟୀ କରିଥିଲେ। ୬ ମ୍ୟାଚରୁ ୪ର୍ଥ ବିଜୟ ସହ ଓଡ଼ିଶା ଏଫ୍‌ସି ୧୨ ପଏଣ୍ଟ ପାଇଛି। ଫଳରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଗୋକୁଳମ୍‌ କେରଳ ଏଫ୍‌ସି ୧୬ ଓ ହୋପ୍ସ ଫୁଟବଲ କ୍ଲବ ୧୨ ପଏଣ୍ଟ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଦିବସର ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ମିସାକା ୟୁନାଇଟେଡ ଏଫ୍‌ସି ୬-୦ ଗୋଲରେ କାହାନି ଫୁଟବଲ କ୍ଲବ୍‌କୁ ହରାଇଥିବାବେଳେ ଗୋକୁଳମ୍‌ କେରଳ ୯-୦ରେ ମାତା ରୁକ୍ମଣୀ ଫୁଟବଲ କ୍ଲବକୁ ଏବଂ ହୋପ୍ସ ଫୁଟବଲ କ୍ଲବ ୨-୦ରେ ମୁମ୍ବାଇ ନାଇଟ୍ସ ଏଫ୍‌ସିକୁ ପରାସ୍ତ କରିଛି।

Share