ରାଜଧାନୀରୁ ଦୂର ହେବ ଭାକ୍ସିନ ସଙ୍କଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। ଗତ କିଛି ଦିନ ତଳେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ଓ ଅକ୍ସିଜେନ ଅଭାବ ସରକାରଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଥିଲା। ହେଲେ ଦିଲ୍ଲୀ ସରକାରଙ୍କ ଏହି ସମସ୍ୟା ଏବେ ସମାଧାନ ହୋଇଯାଇଛି। ରୋଗୀଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ପହଞ୍ଚାଯାଉଛି। ଅନ୍ୟପଟେ କରୋନା ଲଢ଼େଇରେ ଅସ୍ତ୍ର କୁହାଯାଉଥିବା ଟିକାର ଏବେ ଅଭାବ ଦେଖାଦେଇଛି। ଯାହାକୁ ନେଇ ପ୍ରାୟ ସମୟରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଘେରିବା ସହ ଟାର୍ଗେଟ କରିଥାନ୍ତି। କିନ୍ତୁ ଏବେ ଆଉ ଏହି ସମସ୍ୟା ଦେଖାଯିବ ନାହିଁ। କାରଣ ରୁଷୀୟ ଟିକା ସ୍ପୁଟ୍‌ନିକ ଭିର ନିର୍ମାତା ଦିଲ୍ଲୀ ସରକାରଙ୍କୁ ଟିକା ଯୋାଗାଇଦେବାକୁ ରାଜି ହୋଇଛନ୍ତି। ଏନେଇ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ସ୍ପୁଟ୍‌ନିକ ଭି ନିର୍ମାତାଙ୍କ ସହ ଆଲୋଚନା ଚାଲିଛି। ସେ ଆମକୁ ଟିକା ଦେବେ କିନ୍ତୁ କେତେ ପରିମାଣର ଦେବେ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେବେ ଟିକା ଆସିଲେ ରାଜ୍ୟରେ ଟିକା ସଙ୍କଟ ବହୁ ପରିମାଣରେ ଦୂର ହୋଇପାରିବ ବୋଲି କେଜରିଓ୍ବାଲ କହିଛନ୍ତି।

 

Share