Categories: ଜାତୀୟ

ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ,୧୩।୫: ରୁଷିଆର ସ୍ପୁଟନିକ-ଭି କୋଭିଡ୍‌ ଟିକା ଆସନ୍ତା ସପ୍ତାହରୁ ଭାରତ ବଜାରରେ ଉପଲବ୍ଧ ହେବ। ଏନେଇ ଗୁରୁବାର ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ-ଭିର ପ୍ରଥମ ବ୍ୟାଚ୍‌ ଭାରତରେ ପହଞ୍ଚି ଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଟିକା ଆସିବ ବୋଲି ସେ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇରେ ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦିତ ହେବ। ୧୫.୬ କୋଟି ସ୍ପୁଟନିକ-ଭି ଟିକା ଡୋଜ ଉତ୍ପାଦନ କରିବାକୁ ଭାରତ ଲକ୍ଷ ରଖିଛି। ଭାରତରେ ସ୍ପୁଟନିକ-ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା। ମୋଡର୍ନା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି। ଭାରତରେ କ୍ଲିନିକାଲ ପରୀକ୍ଷଣ ପ୍ରଥମ ପର୍ଯ୍ୟାୟରେ ଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀ ଲ୍ୟାବ ଫେବୃୟାରୀ ୧୯ରେ ଆବେଦନ କରିଥିଲା। ଏପ୍ରିଲ ୧ରେ ଏକ୍ସପର୍ଟ କମିଟି ଡାକ୍ତର ରେଡ୍ଡୀ ଲ୍ୟାବକୁ ପରୀକ୍ଷଣର ତଥ୍ୟ ଏବଂ ଏହା କିଭଳି ପ୍ରତିରୋଧକ ଶକ୍ତି ବଢାଉଛି ସେ ବିଷୟରେ ତଥ୍ୟ ଦେବାକୁ କହିଥିଲେ। ଡାକ୍ତର ରେଡ୍ଡୀ ଲ୍ୟାବ ସବୁ ତଥ୍ୟ ଦେବା ପରେ ଏକ୍ସପର୍ଟ କମିଟି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହା ପରେ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡିସିଜିଆଇ ।

Share