ମସ୍କୋ,୨୪।୧୧: ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଏଯାଏଁ ଔଷଧ ପ୍ରସ୍ତୁତ ହୋଇ ନ ଥିବା ବେଳେ ସମସ୍ତଙ୍କର ଆଶା ଭାକ୍ସିନ ଉପରେ ରହିଛି। ତେବେ କରୋନାର ଭାକ୍ସିନ ମାର୍କେଟକୁ କେବେ ଆସିବ ଓ ଏହାର ମୂଲ୍ୟ କେତେ ରହିବ ତାହା ଏଯାଏଁ ନିର୍ଦ୍ଧାରଣ ହୋଇପାରିନାହିଁ। ଏଭଳି ସ୍ଥିତିରେ ରୁଷର ଭାକ୍ସିନ ସ୍ପୁଟନିକ୍-ଭି ଭାକ୍ସିନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ଭାକ୍ସିନର ଏକ ଡୋଜ୍ ଅନ୍ତର୍ଜାତୀୟ ବଜାରରେ ୧୦ ଡଲାରରୁ କମ୍ ରହିବ। କିନ୍ତୁ ଋଷ ନାଗରିକଙ୍କ ପାଇଁ ଏହା ମାଗଣାରେ ମିଳିବ ବୋଲି ଜଣାପଡ଼ିଛି। ତେବେ ଜଣେ ବ୍ୟକ୍ତିଙ୍କ ପାଇଁ ସ୍ପୁଟନିକ୍-ଭିର ଦୁଇଟି ଡୋଜ ଆବଶ୍ୟକ ପଡ଼ିବ। ଅନ୍ତର୍ଜାତୀୟ ବଜାରକୁ ଏହାର ଡେଲିଭରି ୨୦୨୧ଜାନୁଆରୀରୁ ଆରମ୍ଭ ହେବ। ସୂଚନା ମୁତାବକ ସ୍ପୁଟନିକ୍-ଭିର ପ୍ରଥମ ଡୋଜ ଦେବାର ୨୮ ଦିନ ପରେ ୯୧.୪ ପ୍ରତିଶତ ପ୍ରଭାବଶାଳୀ ରହୁଛି। ତେଣୁ ଏହାର ଦୁଇଟି ଡୋଜ ଆବଶ୍ୟକ ପଡ଼ିବ ବୋଲି କୁହାଯାଉଛି।