ଜଳାଭିଷେକ କଲେ ୧୫ ହଜାର କାଉଡ଼ିଆ ଆଖଣ୍ଡଳମଣି ପୀଠ

ଆରଡ଼ି, ୩୧।୭ (ଦୀପ୍ତି ରଞ୍ଜନ ନାୟକ): ଶ୍ରାବଣ ମାସର ୩ୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। କାଉଡ଼ିଆମାନେ ବୈତରଣୀ, ସାଳନ୍ଦୀ, ଖରସ୍ରୋତା, ବ୍ରାହ୍ମଣୀ, କୋଚିଳା, ଗେଙ୍ଗୁଟି ନଦୀରୁ ଜଳ ଆଣି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ାରେ ଥିବା ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିଥିଲେ। ରବିବାର ବୋଲ୍‌ବମ୍‌ ହରହର ବମ୍‌, ଭୋଲା ବାବା ପାର୍‌ କରେଗା, ବାବାମଣି ନେ ଟାଣି ଆଦି କାଉଡ଼ିଆଙ୍କ ଧ୍ୱନି ପୀଠ ପରିସରରେ ନିଆରା ପରିବେଶ ସୃଷ୍ଟି କରିଥିଲା। ସୋମବାର କଡ଼ା ସୁରକ୍ଷାରେ ସମସ୍ତ କାଉଡ଼ିଆ ଲମ୍ବାଧାଡ଼ିରେ ଆସି ଜଳାଭିଷେକ କରିଥିଲେ। ୧୫ ହଜାରରୁ ଅଧିକ କାଉଡ଼ିଆ ଜଳଲାଗି କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆନନ୍ଦବଜାର, କୋଠାର, ବାହାରବିଲ, ବେତାଳିଗଁା, ସୁନ୍ଦରପୁର, କୁଳେଇପଦା, ଆରଡ଼ି ଆଦି ସ୍ଥାନରେ ବିଭିନ୍ନ ଧାର୍ମିକ ସଙ୍ଗଠନ ପକ୍ଷରୁ ନିଶୁଳ୍କ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କିଛି ସ୍ଥାନରେ ମଧ୍ୟ ସ୍ବେଚ୍ଛାସେବୀମାନେ କାଉଡ଼ିଆମାନଙ୍କର ସେବା କାର୍ଯ୍ୟ ଜାରି ରଖିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ଛକ ଜାଗାରେ ପୋଲିସ ଫୋର୍ସ ମୁତୟନ ଥିଲେ। ନଦୀଘାଟରେ ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବାହିନୀ ସଜାଗ ରହିଥିଲେ। ଭିଡ଼ ସତ୍ତ୍ବେ କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିଥିବା ଆରଡ଼ି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ କହିଛନ୍ତି।