Categories: ଖେଳ

ଶ୍ରାବଣୀ, ଅମିୟଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୪ର ସ୍ପ୍ରିଣ୍ଟ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା ୧୦୦ ମିଟର ରେସ୍‌ରେ ଶ୍ରାବଣୀ ନନ୍ଦ ଏବଂ ପୁରୁଷ ୧୦୦ ମିଟରରେ ଅମିୟ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟତମ ଓଡ଼ିଆ ଆଥଲେଟ୍‌ ଆର୍ଯ୍ୟନ ଏକ୍କା ପୁରୁଷ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ ୭.୫୮ ମିଟର ଡେଇଁ ବ୍ରୋଞ୍ଜ ପଦକ ପାଇଛନ୍ତି।

ମହିଳା ୧୦୦ ମିଟରରେ ଶ୍ରାବଣୀ ୧୧.୮୭ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ ୧୨.୧୮ ଓ ତାମିଲନାଡ଼ୁର ଏମ. ଆଞ୍ଜେଲ ସିଲଭିଆ ୧୨.୩୯ ସେକେଣ୍ଡ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ଅନ୍ୟତମ ଓଡ଼ିଆ ଆଥଲେଟ୍‌ ରଞ୍ଜିତା ମହନ୍ତ ୧୨.୮୪ ସେକେଣ୍ଡ ସମୟ ନେଇଛନ୍ତି। ଗତ ୨୧ ତାରିଖରେ ଏଠାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ମଧ୍ୟ ଶ୍ରାବଣୀ ମହିଳା ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ତେଣୁ କଳିଙ୍ଗରେ ଅନୁଷ୍ଠିତ ୨ଟି ଯାକ ଗ୍ରାଁ ପ୍ରି ତାଙ୍କ ପାଇଁ ସ୍ମରଣୀୟ ହୋଇଯାଇଛି। ପୁରୁଷ ୧୦୦ ମିଟରରେ ଜାତୀୟ ରେକର୍ଡଧାରୀ ଅମିୟ ୧୦.୭୪ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଆର୍ଯ୍ୟନ ୧୦.୮୬ ସେକେଣ୍ଡ ସମୟ ନେଇ ରୌପ୍ୟ ଓ ମହାରାଷ୍ଟ୍ରର କରନ ବିବେକ ହେଗିଷ୍ଟେ ୧୦.୯୫ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ପାଇଛନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୩ ପୁରୁଷ ୨୦୦ ମିଟରରେ ଆର୍ଯ୍ୟନ ରୌପ୍ୟ ଓ ଅମିୟ ବ୍ରୋଞ୍ଜ ପଦକ ପାଇଥିଲେ। ପୁରୁଷ ୧୦୦ ମିଟରରେ ଅଂଶଗ୍ରହଣ କରିଥିବା ଅନ୍ୟ ଓଡ଼ିଆ ଆଥଲେଟ୍‌ଙ୍କ ମଧ୍ୟରେ ଅଭିନାଂଶୁ ସାହୁ ୧୦.୯୮, ମହେନ୍ଦ୍ର ସାନ୍ତା ୧୧.୨୭ ଓ ଅଭିଜିତ ସାହୁ ୧୧.୫୯ ସେକେଣ୍ଡରେ ରେସ୍‌ ଫିନିଶ୍‌ କରିଥିଲେ।

Share