ଭୁବନେଶ୍ୱର,୧୦।୯(ବ୍ୟୁରୋ): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପ୍ରଦୀପ ଜେନା। ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଅଗଷ୍ଟ ୯ରେ ଜାରି ଗାଇଡଲାଇନ୍ ଆଗାମି ଦିନରେ ବଳବତ୍ତର ରହିବ। ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ। ଏଣୁ ଚଳିତ ବର୍ଷ ନିରାଡମ୍ବର ଭାବେ ପୂଜା ପାଳିବା। ମା’ଙ୍କୁ ପ୍ରାର୍ଥନା କରିବା ଯେପରି ଆସନ୍ତା ବର୍ଷ ଯେମିତି ସବୁ ଭଲରେ ହେବ ବୋଲି ସେ କହିଛନ୍ତି।
ତେବେ ଗାଇଡଲାଇନ କୋହଳ ନେଇ କଟକର ପୂଜା କମିଟି ଅପିଲ କରିଥିଲେ। ଲୋକ ପ୍ରତିନିଧି, ପୂଜା କମିଟି ସଦସ୍ୟ ଆଲୋଚନା କରିଥିଲେ। ଶେଷରେ ଜନସାଧାରଣଙ୍କ ହିତ ପାଇଁ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆମେ ସମସ୍ତେ କିଛି ତ୍ୟାଗ କରିବା। ୪ ଫୁଟ ମୂର୍ତ୍ତି କରି ନିରାଡମ୍ବର ଭାବେ ଏଥର ପୂଜା କରିବା। ସମସ୍ତଙ୍କ ମଙ୍ଗଳପାଇଁ ଆମେ କଟକଣା କୋହଳ କରିପାରୁନାହୁଁ। ସେଥିପାଇଁ ଆମେ ଦୁଃଖିତ, ସମସ୍ତଙ୍କ ପାଖରେ କ୍ଷମା ମାଗୁଛୁ ବୋଲି ସେ ମଧ୍ୟ କହିଛନ୍ତି।