ଜାଗର ପାଇଁ କଟକଣା: ମନ୍ଦିର ଭିତରେ ବାହାରେ ହେବନି ଗହଳି

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା କୋପ ଆରମ୍ଭ ହୋଇଯାଇଥିବା ବେଳେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଆଉ ମାତ୍ର ଦିନକ ପରେ ଜାଗର । ଏଥିନିମନ୍ତେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏଥର ଜାଗରରେ କିନ୍ତୁ ମେଳା ଓ ଗହଳିକୁ ବାରଣ କରାଯାଇଛି। ଏ ନେଇ କଟକଣା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଥର ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ରହିଛି । ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ଏସ୍‌ଆର୍‌ସି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏ ନେଇ ସବୁ ଜିଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି ।
ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରି । ଏଥିନିମନ୍ତେ ମଙ୍ଗଳବାରଠୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବାପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିଲା। ଚଳିତ ବର୍ଷ ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ।

Share