Categories: ଜାତୀୟ

ସିବିଏସ୍‌ଇରେ ରଖିଲେ ୯୯.୪%

ପାଟନା, ୨୬।୭: ପାଟନାର ଶ୍ରୀଜା ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷାରେ ୯୯.୪ ପ୍ରତିଶତ ମାର୍କ ରଖି ପରିବାର ଓ ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ। କିନ୍ତୁ ଶ୍ରୀଜାଙ୍କ ଜୀବନରେ ରହିଛି ଏକ ବଡ଼ ଦୁଃଖ। ପିଲାଟି ଦିନରୁ ଆଈଙ୍କ ଘରେ ରହି ପାଠ ପଢ଼ୁଛନ୍ତି ସେ। ଛୋଟ ଥିଲାବେଳେ ଶ୍ରୀଜାଙ୍କ ମା’ଙ୍କ ଅକାଳ ବିୟୋଗ ଘଟିଥିଲା। ଏହାପରେ ଝିଅକୁ ଅଲୋଡ଼ା ଭାବି ତାଙ୍କ ବାପା ତାଙ୍କୁ ଆଈଘରେ ଛାଡ଼ି ଚାଲିଯାଇଥିଲେ। ତା ପରଠାରୁ କେବେ ହେଲେ ଝିଅକୁ ଦେଖିବାକୁ ଆସି ନ ଥିବା କହିଛନ୍ତି ଶ୍ରୀଜାଙ୍କ ଆଈ। ଯଦି ଗଣମାଧ୍ୟମ ଜରିଆରେ ଶ୍ରୀଜାଙ୍କ ଉପଲବ୍ଧିକୁ ସେ ଦେଖିପାରିଥିବେ, ତେବେ ସେ ନିହାତି ଭାବେ ଅନୁତାପ କରୁଥିବେ ବୋଲି ସେ କହିଛନ୍ତି। ସୋମବାର ଭାଜପା ନେତା ବରୁଣ ଗାନ୍ଧୀ ଶ୍ରୀଜାଙ୍କ ଫଟୋ ଟୁଇଟରରେ ଶେୟାର କରିବା ସହ ତାଙ୍କୁ ସାହାଯ୍ୟ କରିବାନେଇ ଆଗ୍ରହ ପ୍ରକାଶ କରିଛନ୍ତି। ପାଟନାର ବିଏସ୍‌ଇବି କଲୋନୀରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢ଼ୁଥିବା ଶ୍ରୀଜା ଭବିଷ୍ୟତରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେବାକୁ ଆଶା ରଖିଛନ୍ତି। ସଂସ୍କୃତ ଏବଂ ବିଜ୍ଞାନରେ ସେ ଶତ ପ୍ରତିଶତ ନମ୍ବର ରଖିଥିବାବେଳେ ଇଂଲିଶ, ଗଣିତ ଏବଂ ସାମାଜିକ ବିଜ୍ଞାନରେ ସେ ୯୯ ମାର୍କ ରଖିଛନ୍ତି। ଡିଏଭି- ବିଏସ୍‌ଇବିରେ ସେ ପ୍ଲସ୍‌ ଟୁ ଫାଷ୍ଟ୍‌ଇୟର୍‌ ସାଇନ୍ସରେ ନାମ ଲେଖିସାରିଛନ୍ତି।

Share