Categories: ଖେଳ

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର ବିବେଚିତ ହୋଇଛନ୍ତି। ଭାରତୀୟ ଫରଓ୍ବାର୍ଡ ମମ୍‌ତାଜ ଖାଁ ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ବିବେଚିତ ହୋଇଛି। ଅନ୍ୟପକ୍ଷରେ ଭାରତ ମହିଳା ଓ ପୁରୁଷ ଦଳର କୋଚ୍‌ ଗ୍ରାହମ ରିଡ୍‌ ଓ ଜାନେକ୍‌ ସ୍କୋପ୍‌ମ୍ୟାନ ସେମାନଙ୍କ ବିଭାଗରେ ବର୍ଷର ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଛନ୍ତି। ରିଡ୍‌ କ୍ରମାଗତ ଦ୍ୱିତୀୟ ବର୍ଷ ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି। ଗତବର୍ଷ ଭାରତ କୋଚ୍‌ ଜୋର୍ଡ ମାରିଜନେ ଏଫ୍‌ଆଇଏଚ୍‌ ଦ୍ୱାରା ବର୍ଷର ଶ୍ରେଷ୍ଠ ମହିଳା କୋଚ୍‌ ବିବେଚିତ ହୋଇଥିଲେ। ଶ୍ରୀଜେସ୍‌ ଭୋଟିଂରେ ୩୯.୯ ପଏଣ୍ଟ ପାଇଥିଲେ। ସେ ବେଲ୍‌ଜିୟମର ଲୋଇକ୍‌ ଭାନ୍‌ ଡୋରେନ (୨୬.୩ ପଏଣ୍ଟ) ଓ ନେଦରଲାଣ୍ଡ୍ସର ପ୍ରିମିନ୍‌ ବ୍ଲାକ୍‌ (୨୩.୨ ପଏଣ୍ଟ)ଙ୍କୁ ପଛରେ ପକାଇ ପୁରସ୍କାର ଜିତିଛନ୍ତି। ପଛକୁ ପଛ ଗୋଲକିପର ଅଫ୍‌ ଦି ଇୟର ପୁରସ୍କାର ଜିତିବାରେ ସେ ତୃତୀୟ ଖେଳାଳି। ଏହି ସଫଳତା ହାସଲ କରିଥିବା ଅନ୍ୟ ଦୁଇ ଗୋଲକିପର ହେଲେ ଆୟର୍ଲାଣ୍ଡର ଡେଭିଡ୍‌ ହାର୍ଟେ (୨୦୧୫ ଓ ୨୦୧୬) ଓ ବେଲଜିୟମର ଭିନ୍‌ସେଣ୍ଟ ଭାନାସ୍କ (୨୦୧୭ ଓ ୨୦୧୯)। ୩୨ ବର୍ଷୀୟା ଗୋଲକିପର ସବିତା ୩୭.୬ ପଏଣ୍ଟ ସହ ଭୋଟିଂ ତାଲିକାର ଶୀର୍ଷରେ ରହିଥିଲେ। ତାଙ୍କ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଆର୍ଜେଣ୍ଟିନା କିମ୍ବଦନ୍ତୀ ବେଲନ୍‌ ସୁସି (୨୬.୪) ଓ ଅଷ୍ଟ୍ରେଲିଆ ଷ୍ଟଲଓ୍ବାର୍ଟ ଜୋସ୍‌ଲିନ ବାର୍ଟାମ (୧୬ ପଏଣ୍ଟ) ରହିଥିଲେ। ଭାରତୀୟ ଜୁନିୟର ମହିଳା ଦଳର ଫରଓ୍ବାର୍ଡ ମମ୍‌ତାଜ ଚଳିତବର୍ଷ ପ୍ରଥମ ଭାଗରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଜୁନିୟର ବିଶ୍ୱକପ୍‌ରେ ଭାରତୀୟ ଅଭିଯାନରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଲକ୍ଷ୍ନୌ ବାସିନ୍ଦା ମମ୍‌ତାଜ ଏହି ୬ଟି ମ୍ୟାଚରେ ଏକ ହ୍ୟାଟ୍ରିକ୍‌ ସମେତ ୮ ଗୋଲ ସ୍କୋର କରିଥିଲେ। ଏପ୍ରିଲରେ ପୋଶ୍ଚେଫଷ୍ଟ୍ରୁମ୍‌ଠାରେ ଅନୁଷ୍ଠିତ ଏହି ଚାମ୍ପିୟନଶିପ୍‌ରେ ଭାରତ ୪ର୍ଥ ସ୍ଥାନ ସହ ଏହାର ଅଭିଯାନ ଶେଷ କରିଥିଲା। ବିଶ୍ୱକପ୍‌ ଟପ୍‌ ଗୋଲ ସ୍କୋରର ତାଲିକାରେ ସେ ତୃତୀୟ ସ୍ଥାନରେ ରହିଥିଲେ। ସେ କେବଳ ନେଦରଲାଣ୍ଡ୍ସ ବିପକ୍ଷରେ ଗୋଲ ସ୍କୋର କରିପାରି ନ ଥିଲେ। ବ୍ରୋଞ୍ଜ ପଦକ ପାଇଁ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ୨ଟି ଗୋଲ ସ୍କୋର କରିବାରୁ ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାଂସିତ ରହିଥିଲା। ଭାରତ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ ହୋଇ ଚତୁର୍ଥ ହୋଇଥିଲା।

Share