ନୂଆଦିଲ୍ଲୀ,୨୫।୧୨: ଭାରତୀୟ କ୍ରିକେଟର ହରଭଜନ ସିଂହ ନିଜ କ୍ୟାରିୟରରେ ଅନେକ ବିବାଦରେ ଫସିଥିଲେ। ସେଥିରୁ ଗୋଟିଏ ଥିଲା ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବା। ଆଇପିଏଲ୍ର ପ୍ରଥମ ସିଜିନ୍ର ଏକ ମ୍ୟାଚ୍ ପରେ ହରଭଜନ ଚାପୁଡ଼ା ମାରିଥିବା ଶ୍ରୀସନ୍ତ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ପଡ଼ିଆରେ ଶ୍ରୀସନ୍ତ କାନ୍ଦୁଥିବା ନଜର ଆସିଥିଲେ। ପରେ ହରଭଜନଙ୍କ ବିରୋଧରେ ଆଧିକାରିକ ଅଭିଯୋଗ ହୋଇଥିଲା। ମାମଲାର ଗମ୍ଭୀରତାକୁ ଦେଖି ମ୍ୟାଚ୍ ରେଫରୀ ତାଙ୍କୁ ଆଇପିଏଲ୍ର ସିଜିନ୍ରୁ ବାହାର କରିଦେଇଥିଲେ। ଏପରିକି ତାଙ୍କୁ ନିଜର ପାଉଣା ମଧ୍ୟ ଦିଆଯାଇ ନ ଥିଲା। ଏବେ ଶୁକ୍ରବାର କ୍ରିକେଟରୁ ଅବସର ଘୋଷଣା କରିବା ପରେ ଶ୍ରୀସନ୍ତ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
ଶ୍ରୀସନ୍ତ ସୋସିଆଲ ମିଡିଆରେ ପୋଷ୍ଟ ଲେଖି କହିଛନ୍ତି, ହରଭଜନ ସିଂହ, ଆପଣ କ୍ରିକେଟ ଖେଳିଥିବା କିଛି ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲ। ଏହା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଆପଣଙ୍କୁ ଜାଣିବାର ସୁଯୋଗ ପାଇଥିଲି ଏବଂ ଆପଣଙ୍କ ସହ ଖେଳିଥିଲି। ବୋଲିଂ ପୂର୍ବରୁ ସର୍ବଦା ଆପଣଙ୍କୁ ଆଲିଙ୍ଗନ କରିବା ମନେ ରହିବ ବୋଲି ସେ କହିଛନ୍ତି। ତେବେ ବିବାଦ ମଧ୍ୟରେ ଶ୍ରୀସନ୍ତଙ୍କ ଏଭଳି ଶୁଭେଚ୍ଛା ପଢ଼ି ଅନେକ ଚକିତ ହୋଇଥିବା ବେଳେ କିଛି ପ୍ରଶଂସା ମଧ୍ୟ କରୁଛନ୍ତି।