Categories: ଖେଳ

ଶ୍ରୀଶଙ୍କରଙ୍କୁ ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା

ଭୁବନେଶ୍ୱର, ୧୯ା୬(ସରୋଜ ଜେନା): ଭୁବନେଶ୍ୱରରେ ଅନୁଷ୍ଠିତ ୬୨ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ର ଚତୁର୍ଥ ଦିବସରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ପ୍ରଥମ ପ୍ରୟାସରେ ଶ୍ରୀଶଙ୍କର ୮.୪୧ ମିଟର ଦୂରତା ହାସଲ କରିଥିଲେ। ମାତ୍ର ୧ ସେମି ଦୂରତା ପାଇଁ ଶ୍ରୀଶଙ୍କର ଜେସଓ୍ବିନ୍‌ ଆଲଡ୍ରିନ୍‌ଙ୍କ ଜାତୀୟ ରେକର୍ଡରୁ ପଛରେ ରହିଯାଇଥିଲେ। କେରଳ ପକ୍ଷରୁ ଖେଳୁଥିବା ୨୪ ବର୍ଷୀୟ ଶ୍ରୀଶଙ୍କରଙ୍କ ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ଜାତୀୟ ରେକର୍ଡଧାରୀ ଜେସଓ୍ବିନ୍‌ ଆଲଡ୍ରିନ୍‌ ୭.୮୩ ମିଟର ଦୂରତା ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମହମ୍ମଦ ଅନିସ୍‌ ୟାହିଆ ୭.୭୧ ମିଟର ଦୂରତା ସହ ତୃତୀୟରେ ରହିଥିଲେ। ସୋମବାର ଲଙ୍ଗ୍‌ ଜମ୍ପ୍‌ର ଫାଇନାଲ ଅନୁଷ୍ଠିତ ହେବାକୁଥିବା ବେଳେ ସମୁଦାୟ ୧୨ ଜଣ ଆଥ୍‌ଲେଟ ଫାଇନାଲରେ ପହଞ୍ଚତ୍ଛନ୍ତି। ଶ୍ରୀଶଙ୍କର ଉଭୟ ଏସିଆନ୍‌ ଚାମ୍ପିୟନଶିପ୍‌ ଓ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସିଆନ୍‌ ଗେମ୍ସ ଲାଗି ୭.୯୫ ମିଟରର ଟାର୍ଗେଟ ରହିଥିବା ବେଳେ ଏସିଆନ୍‌ ଚାମ୍ପିୟନଶିପ୍‌ ପାଇଁ ୮.୨୫ ମିଟରର ଲକ୍ଷ୍ୟ ରହିଥିଲା। ବିକାଶ ଗୌଡ଼ା ଓ ନୀରଜ ଚୋପ୍ରାଙ୍କ ପରେ ତୃତୀୟ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍‌ର ପ୍ୟାରିସ୍‌ ଚରଣରେ ୮.୦୯ ମିଟର ଜମ୍ପ କରି ପଦକ ହାସଲ କରିଥିଲେ। ହଙ୍ଗେରୀରେ ହୋଇଥିବା ବିଶ୍ୱ ଚାମ୍ପିୟନଶିପ ନିମନ୍ତେ ଯୋଗ୍ୟତା ଟାର୍ଗେଟ ୮.୨୫ ମିଟର ରଖାଯାଇଥିଲା।
ମହିଳା ଲଙ୍ଗ୍‌ଜମ୍ପର ଆନ୍ସି ସୋଜାନ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସିଆନ ଯୋଗ୍ୟତା ଅର୍ଜନ ପାଇଁ ୬.୪୫ ମିଟରର ଦୂରତା ଧାର୍ଯ୍ୟ କରାଯାଇଥିବା ବେଳେ ଆନ୍ସି ୬.୪୯ ମିଟର ଡେଇଁଥିଲେ। ଆନ୍ସିଙ୍କ ଷ୍ଟେଟ୍‌ ମେଟ୍‌ ନୟନା ଜେମ୍ସ ୬.୩୧ ମିଟର ଓ ଶାଇଲି ସିଂ ୬.୨୭ ମିଟର ଦୂରତା ହାସଲ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ।
ସେହିପରି ପୁରୁଷ ୧୫୦୦ ମିଟର ଦୌଡ଼ରେ ୪ ଜଣ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ହାସଲ ନିମନ୍ତେ ୩.୪୭.୮୪ର ସମୟ ରହିଥିବା ବେଳେ ହିଟ୍‌ରେ ଉତ୍ତର ପ୍ରଦେଶର ଅଜୟ କୁମାର ସରୋଜ ୩.୪୪.୧୩, ୟୁନୁସ୍‌ ଶାହ ୩.୪୪.୨୨, ଉତ୍ତରାଖଣ୍ଡର ସଚେଲାଲ ପଟେଲ ୩.୪୪.୩୩ ଓ ରାଜସ୍ଥାନର ରାହୁଲ ବାଲୋଦା ୩.୪୬.୭୩ର ସମୟ ନେଇଥିଲେ। ଜାତୀୟ ରେକର୍ଡଧାରୀ କେରଳର ଜିନସନ୍‌ ଜନସନ୍‌ ୩.୪୮.୮୩ ସେକେଣ୍ଡର ଟାଇମିଂ ସହିତ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ।

କିଶୋର ଜେନାଙ୍କୁ ଏସିଆନ୍‌ ଗେମ୍ସ ଯୋଗ୍ୟତା

ଭୁବନେଶ୍ୱରରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଜାଭେଲିନ୍‌ ଥ୍ରୋୟର କିଶୋର କୁମାର ଜେନା। ଏସିଆନ୍‌ ଗେମ୍ସ ପାଇଁ ୭୮.୨୩ ମିଟର ଦୂରତା ଧାର୍ଯ୍ୟ କରାଯାଇଥିବା ବେଳେ କିଶୋର ୭୯.୯୬ ମିଟର ଦୂରତା ହାସଲ କରିଥିଲେ। ଏକ ବର୍ଷର ଡୋପିଂ ବାସନ୍ଦାଦେଶ ପରେ ଫେରିଥିବା ଉତ୍ତର ପ୍ରଦେଶର ଶିବପାଲ ସିଂ ୭୯.୩୫ ମିଟର ଦୂରତା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରାଜସ୍ଥାନର ଅନୁଜ କାଲେରା ୭୯.୦୪ ମିଟର ଦୂରତା ସହିତ ତୃତୀୟ ସ୍ଥାନରେ ରହିଥିଲେ। ପ୍ରଥମ ସ୍ଥାନରେ ଥିବା ୩ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ୨୦୦ ମିଟର ସ୍ପ୍ରିଣ୍ଟରେ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ୨୪.୩୧ ମିନିଟ ସମୟ ନେଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Share