ଯୋଡ଼ା,୧୪ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଜୁରୁଡ଼ିସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲକୁ ହାୟର ସେକଣ୍ଡାରୀ ସ୍କୁଲର ମାନ୍ୟତା ମିଳିଛି। ଏଠାରେ ଚଳିତ ଶିକ୍ଷା ବର୍ଷରୁ ଛାତ୍ରୀଛାତ୍ର +୨ କଳାରେ ନାମ ଲେଖାଇ ପାରିବେ। ବୁଧବାର ଏ ସଂକ୍ରାନ୍ତୀୟ ପ୍ରଥମ ସଚେତନ କାର୍ଯ୍ୟକ୍ରମ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷଠାରୁ ମୋଟ ୧୨୮ଟି ସିଟ୍ +୨ କଳାରେ ସରକାରଙ୍କ ଅନ୍ଲାଇନ ସାମ୍ସ(ଏସ୍ଏଏମ୍ଏସ) ପୋର୍ଟାଲରେ ଛାତ୍ରୀଛାତ୍ରଙ୍କୁ ଆଡ୍ମିସନ କରାଯିବ। ଏହା ଦ୍ବାରା ଜୁରୁ ବାମୋରୀ, କାଳୀମାଟି ଏବଂ ଉପାନ୍ତ ଅଞ୍ଚଳର ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବରଦାନ ସଦୃଶ୍ୟ ହେବ। ଖଣି ଅଞ୍ଚଳରେ ରହି ପାଠପଢୁଥିବା ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଦୂର ଦୂରାନ୍ତକୁ ଯିବା ପାଇଁ ପଡୁଥିଲା। ବର୍ତ୍ତମାନ ଉକ୍ତ ସ୍କୁଲ କଲେଜର ମାନ୍ୟତା ପାଇବା ପରେ ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳରେ ହିଁ ଉଚ୍ଚ ଶିକ୍ଷା ପାଇପାରିବେ। ସ୍ଥାନୀୟବାସିନ୍ଦା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜଲହରି, ଜୁରୁ ଜଜାଙ୍ଗ ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ଗୁଡ଼ିକରେ ଥିବା ସ୍କୁଲର ପ୍ରଧାନଶିକ୍ଷକ, ଜୁରୁଡି ହାୟର ସେକଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ, ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଓଏମ୍ସି ଖଣି କମ୍ପାନୀର ଅଧିକାରୀ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।