ଭବାନୀପାଟଣାରେ ପହଞ୍ଚିଲା ଶ୍ରୀକ୍ଷେତ୍ରର ୩ ରଥ ଚକ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ଶ୍ରୀକ୍ଷେତ୍ର ପୁରୀରୁ ତିନୋଟି ରଥର ତିନୋଟି ଚକ ଶନିବାର ସାରେ ଭବାନୀପାଟଣାରେ ପହଞ୍ଚିଛି`। ସହରର ପ୍ରବେଶ ଦ୍ୱାରରୁ ବଳଭଦ୍ରଙ୍କ ତାଳଧଜ, ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକକୁ ତିନୋଟି ସୁସଜ୍ଜିତ ଯାନରେ ରଖି ଶ୍ରଦ୍ଧାଳୁମାନେ ଧୂପ ଦୀପରେ ବନ୍ଦାପନା କରି ସ୍ବାଗତ କରିଥିଲେ।

ସଂକୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ମାଦଳର ତାଳେ ତାଳେ ଶୋଭାଯାତ୍ରାରେ ତିନୋଟି ରଥର ୩ଚକକୁ ସହର ପରିକ୍ରମା କରାଯାଇ ଭବାନୀଶଙ୍କର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିରର ଦ୍ବାର ଦେଶରେ ରଥ ଚକକୁ ବନ୍ଦାପନା କରି ମନ୍ଦିର ପରିସରକୁ ନିଆ ଯାଇଥିଲା। ରୀତିନୀତି ସହିତ ତିନୋଟି ରଥ ଚକକୁ ପୂଜାର୍ଚ୍ଚନା କରି ମନ୍ଦିର ପରିସରରେ ସ୍ଥାପନ କରାଯାଇଥିଲା।

ଭବାନୀଶଙ୍କର ମନ୍ଦିର ପୂଜକ ମନୋଜ କୁମାର ମୁନିଙ୍କ ତତ୍ତ୍ୱାବଧାନରେ ଶ୍ରୀକ୍ଷେତ୍ର ପୁରୀରୁ ଚଳିତବର୍ଷ ରଥ ଯାତ୍ରାର ତିନୋଟି ରଥର ତିନୋଟି ଚକ ଶ୍ରୀମନ୍ଦିର ପ୍ରଶାସନଠାରୁ ନିଲାମ ପ୍ରକ୍ରିୟାରେ ଆଣିବା ପାଇଁ ଭବାନୀପାଟଣାର ଭବାନୀଶଙ୍କର ମନ୍ଦିର ପକ୍ଷରୁ ଆବେଦନ କରାଯାଇଥିଲା।

ଜଗନ୍ନାଥ ଜଗତର ନାଥ, ଓଡ଼ିଆମାନଙ୍କ ଆରାଧ୍ୟ ଦେବତା। ଯେଉଁ ରଥରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେକରି ରଥଯାତ୍ରା କରିଥିଲେ, ସେହି ରଥର ଚକ ଅତ୍ୟନ୍ତ ପବିତ୍ର ଓ ଏହି ତିନି ଠାକୁରଙ୍କ ପ୍ରତୀକ ସଦୃଶ। ତେଣୁ ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ୩ଟି ରଥର ଚକ ଭବାନୀପାଟଣା ଭବାନୀଶଙ୍କର ମନ୍ଦିରରେ ବିଧିବିଧାନ ପୂର୍ବକ ସ୍ଥାପନ କରାଯିବ। ଶ୍ରଦ୍ଧାଳୁମାନେ ମନ୍ଦିରରେ ୩ ଠାକୁରଙ୍କ ରଥର ଚକ ଦର୍ଶନ କରିବା ସୁଯୋଗ ପାଇବେ ବୋଲି ଭବାନୀଶଙ୍କର ମନ୍ଦିର ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଚକ ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଣାଯାଇ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି।

Share