Categories: ଖେଳ

ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ, ୨୬ା୮: ଏସିଆ କପ୍‌ ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଅନ୍ୟ ଥର ତୁଳନାରେ ଏଥର ମ୍ୟାଚଗୁଡ଼ିକ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟର ଓ୍ବାସିମ୍‌ ଆକ୍ରାମ ପୂର୍ବାନୁମାନ କରି କହିଛନ୍ତି। ହଂକଂ ଏକମାତ୍ର ଦଳ କ୍ୱାଲିଫାୟର ହିସାବରେ ଖେଳିବ। ଅନ୍ୟ ଦଳଗୁଡ଼ିକ ହେଲେ ୭ଥର ଚାମ୍ପିୟନ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ। ପରସ୍ପରକୁ ହରାଇବା ସାମର୍ଥ୍ୟ ଏମାନଙ୍କ ନିକଟରେ ରହିଛି। ଟୁର୍ନାମେଣ୍ଟ ୬ ବର୍ଷ ହେଲା ଟି୨୦ ଫର୍ମାଟରେ ଖେଳାଯାଇ ଆସୁଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କା ଏହାର ଆୟୋଜନ ଲାଗି ନିଜର ଅସାମର୍ଥ୍ୟ ପ୍ରକାଶ କରିବାରୁ ଟୁର୍ନାମେଣ୍ଟକୁ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ୟୁଏଇ ଓ ସେଠାକାର ଜଳବାୟୁ ମଧ୍ୟରେ ଯଦିଓ ପ୍ରଭେଦ ରହିଛି, ଏସିଆ କପ୍‌ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ସେମାନଙ୍କ ଚୂଡ଼ାନ୍ତ ଖେଳାଳି ଚୟନ ଏହି ଟୁର୍ନାମେଣ୍ଟରୁ କରିବେ। ଭାରତ ଏଥିରେ ଏହାର ଉଦ୍‌ଘାଟନୀ ମୁକାବିଲାରେ ରବିବାର ପାକିସ୍ତାନ ବିପକ୍ଷରେ ଖେଳିବ। ଦୀର୍ଘ ଦିନ ଧରି ଖରାପ ସମୟ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏସିଆ କପ୍‌ରେ ଅଧିନାୟକ ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ କିପରି ଖେଳୁଛନ୍ତି ଖେଳପ୍ରେମୀଙ୍କର ସେ ନେଇ ଉତ୍କଣ୍ଠା ରହିବ। ଆଘାତପ୍ରାପ୍ତ ହୋଇଥିବାରୁ ଯଶପ୍ରୀତ ବୁମ୍‌ରା ଏହି ଇଭେଣ୍ଟରେ ଖେଳିବେ ନାହିଁ। ଗତ ଏକ ବର୍ଷ ହେଲା ପାକିସ୍ତାନ ଦଳ ଉପରକୁ ଉଠିବାରେ ଲାଗିଛି। ଟୁର୍ନାମେଣ୍ଟ ଜିତିବା ଲାଗି ଲକ୍ଷ୍ୟ ମଧ୍ୟ ରଖିଥିବ। ପାକିସ୍ତାନ ୧୦ ବର୍ଷ ପୂର୍ବେ ଚାମ୍ପିୟନ ହୋଇଥିଲା। ଅବଶ୍ୟ ସେତେବେଳେ ଏହା ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଖେଳାଯାଉଥିଲା। ତେବେ ଆଘାତଜନିତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଆଣ୍ଠୁରେ ଆଘାତପ୍ରାପ୍ତ ଯୋଗୁ ଦଳର ଷ୍ଟାର ପେସର ଶାହିନ ଆଫ୍ରିଦୀ ପ୍ରତିଯୋଗିତାରେ ଭାଗ ନେଉନାହାନ୍ତି। ଅନଭିଜ୍ଞ ମିଡ୍‌ଲ ଅର୍ଡର ଯୋଗୁ ଦଳ ବିଶେଷ କରି ଓପନିଂ ଯୋଡ଼ି ବାବର ଆଜାମ ଓ ମହମ୍ମଦ ରିଜଓ୍ବାନଙ୍କ ଉପରେ ନିର୍ଭରଶୀଳ ରହିବ। ଆଫଗାନିସ୍ତାନ ଏହାର ପୁରୁଖା ଖେଳାଳି ମହମ୍ମଦ ନବିଙ୍କ ଅଧିନାୟକତ୍ୱରେ ଖେଳିବ। ଦଳ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳକୁ ପରାସ୍ତ କରିବା ଲକ୍ଷ୍ୟରେ ରହିବ। ବୋଲର ରଶିଦ ଖାଁ ଦଳର ଟ୍ରମ୍ପକାର୍ଡ ରହିବେ। ତେଣୁ ବ୍ୟାଟରମାନଙ୍କୁ ଭଲ ଖେଳିବାକୁ ହେବ। ଶ୍ରୀଲଙ୍କା ଏହାର ନୂଆ ମୁଖ୍ୟ କୋଚ୍‌ ଖ୍ରିସ୍‌ ସିଲଭରଉଡ୍‌ଙ୍କ ଅଧୀନରେ ଉନ୍ନତି କରୁଛି। ଦଳରେ ପ୍ରତିଭା ଖେଳାଳିଙ୍କର ଅଭାବ ନାହିଁ। ଏସିଆ କପ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଷ୍ଟାର ଖେଳାଳି ହେବା ଲାଗି ସୁଯୋଗ ରହିଛି। ଭଲ ଖେଳି ଦେଶରେ ସଂଘର୍ଷ କରୁଥିବା ଲୋକମାନଙ୍କ ମୁହଁରେ ସେମାନେ ହସ ଫୁଟାଇପାରିବେ। ବିଶ୍ୱକପ୍‌ ପରଠାରୁ କ୍ରିକେଟର କ୍ଷୁଦ୍ରତମ ଫର୍ମାଟରେ ବାଂଲାଦେଶ ସଂଘର୍ଷ ଚଳାଇ ଆସୁଛି।

Share