ଷ୍ଟେଜ୍‌ରେ ସୁନ୍ଦରୀ ମୁକୁଟକୁ ନେଇ ଟଣାଓଟରା: ଆହତ ହେଲେ ମିସେସ୍‌ ଶ୍ରୀଲଙ୍କା, ମିସେସ୍‌ ଓ୍ବାଲର୍‌ଡ ଗିରଫ

ଶ୍ରୀଲଙ୍କାରେ ନିକଟରେ ଅନୁଷ୍ଠିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗୀତା ସମୟରେ ବିଜେତାଙ୍କୁ ନେଇ ହୋଇଥିବା ବିବାଦ କାରଣରୁ କଲମ୍ବୋ ପୋଲିସ ମିସେସ ଓ୍ବାଲର୍‌ଡଙ୍କୁ ଗିରଫ କରିଛି। ମିସେସ ଓ୍ବାଲର୍‌ଡ କାରୋଲିନ ଜୁରିଙ୍କ ଉପରେ ଅଭିଯୋଗ ଲାଗିଛି ଯେ, ସେ ନୂତନ ମିସେସ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ଜୋର୍‌ ଜବରଦସ୍ତ ମୁକୁଟ ଛଡ଼ାଇଆଣିବାକୁ ଚେଷ୍ଟା କରିଥିଲେ। ଫଳରେ ଏଥିରେ ନୂଆ ମିସେସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ପ୍ରକାଶ ଯେ, ଗତ ରବିବାର ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାରେ ପୁଷ୍ପିକା ଡି ସିଲଭାଙ୍କୁ ନୂତନ ମିସେଜ୍‌ ଶ୍ରୀଲଙ୍କା ଭାବେ ଚୟନ କରାଯାଇ ତାଙ୍କ ମୁଣ୍ଡରେ ବିଜେତା ମୁକୁଟ ପିନ୍ଧାଯାଇଥିଲା। ମାତ୍ର ପୂର୍ବ ମିସେଜ୍‌ ଓ୍ବାଲର୍‌ଡ କାରୋଲିନ ଜୁରି ତାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଜୁରୀ ଗତ ବର୍ଷ ମିସେସ୍‌ ଶ୍ରୀଲଙ୍କା ମଧ୍ୟ ହୋଇଥିଲେ। ପୁଷ୍ପିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟର ସିଧା ପ୍ରସାରଣ ଚାଲିଥିଲା। ଥିଏଟରରେ ଉପସ୍ଥିତ ସମସ୍ତ ଦର୍ଶକ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ପୋଲିସ ଜୁରୀଙ୍କ ସମେତ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ଗିରଫ କରିଛି।

Share