Categories: ଖେଳ

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ଏହି ୩୦ ବର୍ଷୀୟ କ୍ରିକେଟର

କଲମ୍ବୋ,୫।୧: ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଚମକାଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପକ୍ଷେ(୩୦) ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାନୁକା ବୁଧବାର ପାରିବାରିକ ଦାୟିତ୍ୱବୋଧକୁ ଦର୍ଶାଇ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି।

କଲମ୍ବୋରେ ୨୦୨୧ ଜୁଲାଇରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ ଭାନୁକା। ଏହାକୁ ଦେଖିଲେ ତାଙ୍କର ଦିନିକିଆ କ୍ୟାରିୟର ଛଅ ମାସରୁ କମ ସମୟରେ ଶେଷ ହୋଇଛି। ସେ ଶ୍ରୀଲଙ୍କା କ୍ରିକେଟକୁ ଚିଠି ଲେଖି ଅବସର ନେଇ ସୂଚନା ଦେଇଛନ୍ତି। ଚିଠିରେ ସେ ଲେଖିଛନ୍ତି, ‘ମୁଁ ଜଣେ ଖେଳାଳି ଏବଂ ଜଣେ ସ୍ବାମୀ ଭାବରେ ମୋର ସ୍ଥିତି ସମୀକ୍ଷା କରିଛି। ପାରିବାରିକ ଦାୟିତ୍ୱ କାରଣରୁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡ଼ୁଛି।’

ଭାନୁକା ଶ୍ରୀଲଙ୍କା ପାଇଁ ମୋଟ ୨୩ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେଥିରେ ୫ ଦିନିକିଆ ଏବଂ ୧୮ ଟି -୨୦ ମ୍ୟାଚ୍‌ ରହିଥିଲା। ଏଥିରେ ସେ ମୋଟ ୪୦୯ ରନ ସଂଗ୍ରହ କରିଥିଲେ। ୨୦୧୯ ମସିହାରେ ସେ ଲାହୋରରେ ପାକିସ୍ତାନ ବିପକ୍ଷରେ ଟି -୨୦ ଡେବ୍ୟୁ କରିଥିଲେ। କିନ୍ତୁ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ୍‌ ଅବସର ନେଇ ସେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି।

Share